ପ୍ରେରଣା
ପ୍ରେରଣା
ଜୀବନଟା ହୁଏ ଯେବେ କ୍ଷେତଟିଏ
ପ୍ରେରଣା ଜଳରେ ମନର ବୀଜ
ଅଙ୍କୁରିତ ହୋଇ ଶାଖାକୁ ମେଲାଇ
ଦୃଢ଼ ଭାବେ ଠିଆ ହେବାକୁ ସଜ ।
ସମ୍ଭାବନା ନେଇ ଆଗକୁ ବଢ଼ଇ
ନବ ଉଦ୍ଦୀପନା ଉତ୍ସାହ ତୋଳି
ପ୍ରଗତିର ଗତି ଭରଇ ପ୍ରଶାନ୍ତି
ପ୍ରେରଣାର ସ୍ୱର ନିଇତି କଳି ।
ସାନ୍ତ୍ୱନାର ବାଣୀ ମନ ନିଏ କିଣି
ମନ୍ଥର ହୋଇଲେ ଟିକିଏ ଗତି
କରଇ ପ୍ରେରିତ ନହୋଇ ବିବ୍ରତ
ଧରି ରଖିବାକୁ ସାହସ ଶକ୍ତି ।
ପିତାମାତା ବନ୍ଧୁ ଆତ୍ମୀୟଜନଙ୍କ
ପ୍ରେରଣା ଉତ୍ସରେ ଦେଇକି ଝାସ
ଆବାଲ୍ୟରୁ ଶିଶୁ ପଡ଼ିଉଠି ଧାଏଁ
ହସକାନ୍ଦ ସହ ଧରି ସାହସ ।
ଗୁରୁ ଗୁରୁମାଆ ସହପାଠୀଙ୍କର
ପ୍ରେରଣା ବଳରେ ଜୀବନରଥ
ସୁପଥରେ ଗଡି ଲକ୍ଷ୍ୟ ଭେଦକରି
ପୂର୍ଣ୍ଣ କରି ପାରଇ ମନୋରଥ ।
ଭଲ ମଣିଷରେ ଗଣା ସମାଜରେ
ଅନ୍ତଃଚେତନାର ପ୍ରେରଣା ବଳେ
ଅମୃତ ଝରଣା ପରା ଏ ପ୍ରେରଣା
ପାନ କରିକରି ଚେତନ ଚଳେ ।
ସିଦ୍ଧାର୍ଥଙ୍କ ପରି ନିଜ ସାମର୍ଥ୍ୟରେ
ଜାଗ୍ରତ କରାଇ ମନ-ହୃଦୟ
କେହି ବି ପହଞ୍ଚେ ବିଭୁଙ୍କ ନିକଟେ
ଏହି ପ୍ରେରଣାକୁ କରି ପାଥେୟ ।