ପ୍ରେମଯୋଗ
ପ୍ରେମଯୋଗ
ପ୍ରେମରୁ ସୃଜନ ପ୍ରେମରୁ ଜୀବନ
ମରଣେ ପ୍ରେମରେ ଲୀନ,
ପ୍ରେମ ହିଁ ଶାଶ୍ୱତ ଜୀବନ ମହତ
ନିଃସ୍ୱାର୍ଥେ ଯିଏ ମଗନ ।
ଏ ସାରା ଦୁନିଆ ପ୍ରେମରେ କିମିଆ
ପ୍ରେମେ ହୁଏ ଆତଯାତ ,
ପ୍ରେମରୁ ସମ୍ଭୁତ ପ୍ରେମରେ ଜୀବିତ
ତା ବିନା ଜଡ, ଜଗତ ।
ବିଶ୍ୱନାଥଙ୍କର କରୁଣା ସାଗର
ପ୍ରେମ ତାଙ୍କ ଦିବ୍ୟ ଝର
ଯିଏ ତ ଭିଜଇ ଆନନ୍ଦେ ହଜଇ
ଅସାର ଲାଗେ ସଂସାର ।
ଯେ ପ୍ରେମେ ବନ୍ଧନ ଭୋଗ ଅନ୍ୱେଷଣ
ଆସକ୍ତିରେ ଦୁଃଖ ଥାଏ,
ଖାଲି ସମର୍ପଣ ଜୀବର ପରମ
ଦିବ୍ୟ ଆଭା ଦିଶୁଥାଏ ।
ପ୍ରେମକୁ ପରମ ପ୍ରେମକୁ ଚରମ
ମଣଇ ଯେ ନିରବଧି,
ସଂସାର ଜଞ୍ଜାଳ ଦୂରଇ ସକଳ
ସୁଖର ବଢେ ଅବଧି ।
ପ୍ରେମେ ମୋହାଚ୍ଛନ୍ନ ପ୍ରେମରେ ବନ୍ଧନ
ଆସକ୍ତିରେ ଧାଇଁଥାଏ,
ଆତ୍ମା ନିବେଦନ କରଇ ବର୍ଜନ
ଶେଷରେ ସନ୍ତାପୁ ଥାଏ, /
ଜୀବନ ବ୍ୟର୍ଥ କରାଏ ।
ସେ ନୁହେଁ ବନ୍ଧନ, ମୁକ୍ତିର କାରଣ,
ପ୍ରେମ ଫାଶ ମୁକୁଳାଏ ,
ଅପ୍ରେମକୁ ପ୍ରେମ, କାଚକୁ କାଞ୍ଚନ
ମଣି, ପଥ ହୁଡୁଥାଏ ।
ଖାଲି ସମର୍ପଣ (ଅର୍ପଣ) ପ୍ରେମର ଲକ୍ଷଣ
ଦେବାର ଥାଏ ଆନନ୍ଦ,
ନିଜକୁ ଫେଣ୍ଟାଇ ସତ୍ତାରେ ହଜାଇ
ମିଳଇ ପରମାନନ୍ଦ।
ପ୍ରେମରେ ପାଗଳ ସଂସାର ବ୍ୟାକୁଳ
ପୋଥି ପଢଇ ସକଳ
ପ୍ରେମର ଅଭାବେ ବିକଳ ସ୍ୱଭାବେ
ପଣ୍ଡିତ ହୁଏ ଆକୁଳ ।
ପ୍ରେମର ଭଣ୍ଡାର ଖୋଲା ନିରନ୍ତର
ଯାକୁ ଅରୁଚି ଲାଗଇ
ଅଭୁକ୍ତ ଭକ୍ଷଣ ଜରାଜୀର୍ଣ୍ଣ ମନ
ଦୁଃଖେ ଜୀବ ଭ୍ରମୁଥାଇ ।
ଫୁଲରୁ ବାସନା ଜହ୍ନରୁ ଜୋଛନା
ପ୍ରୀତି ଯେସନ ତାଙ୍କର,
ଆତ୍ମା ପରମାତ୍ମା ସେପରି ମହିମା
ସେ ଲୀଳା ଅପରମ୍ପାର ।
ଭକ୍ତିର ସରଣୀ ପ୍ରେମ ଯେ ତରଣୀ
ନାଉରୀ ଅଟେ ଈଶ୍ୱର,
ଗଲେ ତା ଶରଣ ଜୀବ ହୁଏ ଧନ୍ୟ
ମୁକ୍ତି ପାଏ, ଏ ଶରୀର ।