ପ୍ରେମର ପରିଭାଷା
ପ୍ରେମର ପରିଭାଷା
ପ୍ରକୃତି ପୁରୁଷ ପ୍ରେମ ବଶେ ଏଇ ସଂସାର ହୋଇଲା ଗଢା
ସଜୀବ ନିର୍ଜୀବ ଏକ ଆରେକର ପାଇଁ ଦୁହେଁ ଯଥା ଗଢା ।
ସ୍ଥାବର ଜଂଗମ ସାଗର ପର୍ବତ ନଦନଦୀ ବୃକ୍ଷ ଲତା
କେଦାର କାନନ ସଂଗମ ବଢାଏ ପ୍ରକୃତିର ବିବିଧତା ।
ଋତୁଚକ୍ର ପୁଣି ଦିନ ରାତି ହୁଏ କାହାର ନିର୍ଦ୍ଦେଶ ମାନି
ସାଗରର ଜଳ ବାଷ୍ପ ହୋଇଉଠେ ବରଷା ବାରିରେ ଧନୀ ।
ବୃକ୍ଷଲତା ଦିଏ ଫୁଳ ଫଳ ପତ୍ର ଯୋଗାଏ ସେ ଅମ୍ଳଜାନ
ପଶୁପକ୍ଷୀ କେତେ ଆଶ୍ରୟ ପାଆନ୍ତି ପଥିକକୁ ଛାୟାଦାନ ।
ପ୍ରାଣୀଙ୍କ ନିର୍ଗତ ଅଙ୍ଗାରକାମ୍ଳକୁ ଶୋଷିନିଏ ବୃକ୍ଷ ଲତା
ପ୍ରେମର ନିଗୁଢ ବାରତା ବଖାଣେ ଆମ ଏହି ବସୁମାତା ।
ସୃଷ୍ଟିର ଆଦ୍ୟ ଓଁକାର ଦିନରୁ ପ୍ରେମର ପରି ପ୍ରକାଶ
ଆଦାମ ଇଭ୍ କି ମନୁ ଶତରୂପା ପ୍ରେମର ସଭିଏଁ ବଶ ।
ପ୍ରେମ ମାନେ ନାହିଁ ବାଧା ବନ୍ଧନ ଧର୍ମ ଜାତି ଭେଦଭାବ
ପ୍ରେମରେ ପଡିଲେ ଅସାଧ୍ୟ ସାଧନ କରିପାରେଟି ମାନବ ।
ଲୈଲା-ମଜନୁ ସୋନି-ମହୀୱାଲ ହୀର-ରଂଜା ପରି ଯୋଡି
ପ୍ରେମ ପାଇଁ ଯୁଗ ଯୁଗକୁ ଅମର ଗଲେଣି ସଂସାର ଛାଡି ।
ଦେଶପ୍ରେମ ଯାରେ ଉଦବୁଦ୍ଧ କରେ ଜୀବନ ଲଗାଏ ବାଜି
ଧରମା ଡେଇଁଲା ସାଗର ବକ୍ଷକୁ ଛାତି ପାତିଦେଲା ବାଜି ।
ସହୀଦ ଭଗତ ଖୁଦିରାମ ରାଜଗୁରୁ ସୁଖଦେବ ଆଦି
ହସି ହସି ଫାଶି ବରଣ କରିଲେ ଦେଶବାସୀ ମର୍ମଭେଦୀ ।
ପ୍ରେମ ମାନେ ନାହିଁ ସୀମା ସରହଦ ଲିଂଗଭେଦ କରେ ତୁଛ
ସିଂହ ସହିତ ମଣିଷର ଖେଳ ଗଛରେ ଉଠୁଛି ଗଛ ।
ପ୍ରେମର ଜୈତ୍ର ବାନା ଫରଫର ଯତ୍ର ତତ୍ର ସରବତ୍ର
ଧୃବ ପ୍ରହଲ୍ଲାଦ ଅମର ହୋଇଲେ ହରିପ୍ରେମ କରି ପାତ୍ର ।
ଅସହିଷ୍ଣୁତା ହିଂସା ଦ୍ୱେଷ ପୂର୍ଣ୍ଣ ସଂସାର ହେଲାଣି ଆଜ
ନିସ୍ୱାର୍ଥପର ପ୍ରେମ ମିଳେନାହିଁ ମନୁ ପୁତ୍ର ହେଜ ହେଜ ।