ପ୍ରେମ ଏକ ବୃଦ୍ଧାବସ୍ଥା
ପ୍ରେମ ଏକ ବୃଦ୍ଧାବସ୍ଥା
ବେଙ୍ଗୁଲି ବୋଉର ନାଲି ଚା କପ୍ ର
ସରୁ ହାଡୁଆ ହାତ
ମୋ ଆଡ଼କୁ ବଢ଼ି ଆସିଲେ
ଉତ୍ତର ଅଶୀରେ ବି
ଲାଗେ ସବୁସୁଖ ମୋ ହାତ ପାହାନ୍ତାରେ।।
ପାନଖିଆ ପାଟିମୋର
ଖଣ୍ଡେ ଖାଇ ଖଣ୍ଡେ ଖୁଆଇଦିଏ
ବୁଢୀକୁ ମୋର
ପାକୁଆ ପାଟିରୁ ତାର
ହସ ଝରିପଡୁଥାଏ
ଫଗୁଣ ଫଗୁଣ ଲାଗେ ସବୁଦିନ।।
ସାଢ଼େ ତିନିଶ ଟଙ୍କାର
ନାଲି ଛିଟ ପକା ଶାଢ଼ୀଟା
କପାସିଆ ଛ ମାସିଆ ନ୍ୟାୟରେ
ଖୁବ୍ ବେଶି ନହେଲେବି
ଗଲା ସନ ସାବିତ୍ରୀ ଓଷାର
ବେଙ୍ଗୁଲି ବୋଉଟା
ଦିଶେ ପୁରା ଠାକୁରାଣୀ
ମୋ ସଂସାରର ରାଣୀ।।
ଏବେତ ଖାଲି ସମୟ ଆଉ ସମୟ
ପ୍ରଚୁର ଭଲପାଇବାର ବେଳା,
ଆଗେ କିଏ ପଛେ କିଏ
ଯିବା ତ ଯାଣିନୁ
ଏବେଯାଏ ଦଣ୍ଡେ କି ଘଡ଼ିଏ
କେହି କାହାକୁ ଛାଡ଼ି କି ରହିନୁ
ସାଥିରେ ଥିବାରୁ ଲାଗେ
ସ୍ୱର୍ଗର ସବୁ ସୁଖ ପାଉଛୁ
ସେଥିପାଇଁ ତ ବୁଢ଼ା ବୁଢ଼ୀଆମେ
ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛୁ।।