ପ୍ରଭୁଙ୍କର ରାଧା ଦାମୋଦର ବେଶ
ପ୍ରଭୁଙ୍କର ରାଧା ଦାମୋଦର ବେଶ
ସବୁ ନାମର ଉର୍ଦ୍ଧରେ ସହସ୍ର ନାମଧାରୀ ଯିଏ
ତାଙ୍କର ରୂପ ଗୁଣର ବେଶ ବର୍ଣ୍ଣି ପାରିବ କିଏ
ଅନାଦି ଅନନ୍ତ ଅବ୍ୟୟ ଅକ୍ଷୟ ଅଜର ସିଏ
କିଞ୍ଚିତ କରୁଣା କଲେ ଅମୃତଧାରା ଝରୁଥାଏ।
ବରଷକୁ ବାରମାସରେ ହୁଅନ୍ତି ଚବିଶ ବେଶ
ସାଧାରଣ ଭାବରେ ସେ ବେଶ ହୋଇଥାନ୍ତି ବତିଶ,
ଭକତ ଜନର ଭାବ ଭକତିରେ ଯେ ପ୍ରଭୁ ବଶ
ହୋଇ ସେ ସନ୍ତୋଷ ଆନନ୍ଦେ ଢାଳି ଦିଅନ୍ତି ଆଶିଷ।
ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ବ ବ୍ରହ୍ମାଣ୍ଡର କର୍ତ୍ତା
ଅନ୍ତର୍ଯ୍ୟାମୀ ସେ ତାଙ୍କଠାରେ ଥାଏ ଜଗତର ବାର୍ତ୍ତା,
ଦୀନବନ୍ଧୁ ଆର୍ତ୍ତତ୍ରାଣ ରୂପରେ ସେ ପରମ ପିତା
ଉଦ୍ଧାରି ରଖନ୍ତି ପତିତଙ୍କୁ ସେ ତ ଜଗତଜିତା।
କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଯେ ଦାମୋଦର
ସେ ନାମ ଅନୁସାରେ ବେଶ ହୁଅନ୍ତି ବଡ଼ଠାକୁର,
ଆଶ୍ଵିନ ଶୁକ୍ଳପକ୍ଷର ଏକାଦଶୀଠାରୁ ତାଙ୍କର
ରାଧା ଦାମୋଦର ବେଶ ହୋଇଥାଏ କି ମନୋହର !
କାର୍ତ୍ତିକ ଶୁକ୍ଳପକ୍ଷର ଦଶମୀ ଦିବସ ପର୍ଯ୍ୟନ୍ତ
ଏ ବେଶ ହେଉଥାନ୍ତି ପ୍ରତ୍ୟହ ରହି ଉଦାର ଶାନ୍ତ,
ରାତ୍ର ଦୁଇଘଡି ଥାଇ ହେଲେ ନୀତି କାନ୍ତିର ଅନ୍ତ
ତା'ପରେ ରାଧା ଦାମୋଦର ବେଶ ହୁଏ ଅନୁଷ୍ଠିତ।
ଏ ବେଶରେ ଶ୍ରୀଜୀଉମାନେ ଥା'ନ୍ତି ବାଳଭୋଗ ଯାଏଁ
&n
bsp; ହୁଏ ରୋଷ ହୋମ,ସୂର୍ଯ୍ୟ,ଦ୍ଵାରପାଳ ପୂଜା ଯେ ତହିଁ,
ଗୋପାଳ ବଲ୍ଲଭ ଭୋଗ,ସକାଳ ଧୂପ ସବୁ ପାଇ
ଓଲାଗି ହୁଅନ୍ତି ତିନି ବାଡ଼ରେ ବନ୍ଦାପନା ହୋଇ।
ରାଧା ଦାମୋଦର ବେଶେ ପିନ୍ଧନ୍ତି ସ୍ଵର୍ଣ୍ଣ ଅଳଙ୍କାର
ସାଥୀରେ ଗୁଣା,ଚିତା,ଅଧରମାଳା ଯେତେ ଫୁଲର,
ତ୍ରିମୁଣ୍ଡିରେ ବାଉଁଶ ପାତିଆ,ଚୂଳ ହୁଏ କନାର
ଦୁଇ ହସ୍ତରେ ସୁବର୍ଣ୍ଣ ନୀଳଭୁଜ ଥାଏ ତାଙ୍କର।
ଚୂଳର ଅଗ୍ରଭାଗେ ରୂପା ଚନ୍ଦ୍ରିକା,କର୍ଣ୍ଣେ କୁଣ୍ଡଳ
କଟିଦେଶେ ଓଡ଼ିଆଣୀ,କମରପଟିରେ ତା ମେଳ,
କପାଳେ ତିଳକ,କଣ୍ଠରେ ସୁବର୍ଣ୍ଣ ଘାଗଡା ମାଳ
ଚନ୍ଦ୍ର,ସୂର୍ଯ୍ୟ,ରାମାନନ୍ଦୀ ଚିତା ସୁନ୍ଦର ମୁଖମଣ୍ଡଳ।
ମସ୍ତକରେ ତଡଗି ସହ ଫୁଲର ନାନା ଗହଣା
ପାଟଶାଢ଼ୀ,ଫୁଟା ଶିରିକପଡା ସାଥେ ଥାଏ ସୁନା,
ବଳା,ଅଧରବଳା ସହ ଉତ୍ତରୀୟ ପହରଣା
ଦିଶନ୍ତି ଅତି ମନୋମୟ କିଛିର ନ ଥାଏ ଊଣା।
ରାଧା ଦାମୋଦର ବେଶ ଦେଖି ଭକ୍ତ ହୁଅନ୍ତି ମୁଗ୍ଧ
ମହାପ୍ରଭୁଙ୍କ ପାଦେ ପ୍ରଣମିଲେ ହୁଏ ମନବୋଧ,
ଲଭିଲେ ତାଙ୍କର କୃପା ଜୀବନେ ଆସେ ନାହିଁ ବାଧ
ଅକ୍ଳେଶରେ ସିଦ୍ଧି ବୁଦ୍ଧି ମିଳେ ସାଧି ହୁଏ ଅସାଧ୍ୟ।