ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ପ୍ରାଣୀଙ୍କ ସକାଶେ ମୃତ୍ୟୁ ସିନା ଆସେ
ଅକସ୍ମାତ କେଉଁ ରୂପେ
ସ୍ପର୍ଶ ଦୃଷ୍ଟି ଶ୍ରୁତି ସହିତରେ ସ୍ମୃତି
ଲିଭେ ଏ' ମାଟିର ସ୍ତୁପେ ।
ବସ୍ତୁଜ୍ଞାନ ଶେଷ ରହେନାହିଁ ଲେଶ
ଭବରଙ୍ଗ ଭୂମି ତଳେ
ଝରାପତ୍ର ଆସି ଯାଉଥାନ୍ତି ଭାସି
ସମୟର ସ୍ରୋତ ବଳେ ।
ପୂର୍ବଜ ମୋ' ତରି ଗଲାପରେ ଧରି
ନେଉ ନେଉ ମରେ ଆଶା
ଅନ୍ତରର ସ୍ବର ଲାଗେ ବି ନଶ୍ବର
ନୀରବି ଯାଏ ମୋ' ଭାଷା ।
କଲା ପରେ ସ୍ନାନ ରହେନାହିଁ ଜ୍ଞାନ
ଜୀବନର ଅବଦାନ
ରାମନାମ ଭଜେ ଚେତନା ବି ହଜେ
ସ୍ମୃତି ହୁଏ ଅବସାନ ।
ଶୂନ୍ୟତାରେ ଉଡ଼ି ଶୋଚନାରେ ବୁଡ଼ି
ଥମି ଯାଏ ଶ୍ବାସ ଗତି
ତୁଚ୍ଛତାର ତୁଠେ ବିଶ୍ୱାସ ମୋ' ଉଠେ
ମିଛ ମାୟାମୋହ ପ୍ରତି ।
ବେଦନା ଆଶ୍ରିତ ନେତ୍ରୁ ଅବାରିତ
ଅଶ୍ରୁଧାରା ଯହିଁ ବହେ
ଅର୍ଥହୀନ ଧ୍ଵନି ନିଶବ୍ଦ ଅବନୀ
ନୀରସ-ନିର୍ଗନ୍ଧା ରହେ ।
ଏଥିରେ ସଂସାର ଲାଗଇ ଅସାର
ବିତେ ମନ୍ଥନର ବେଳା
ବିସ୍ମରଣ ପରେ ବିଷୟା ଦର୍ପରେ
ପ୍ରାୟଶ୍ଚିତେ ହୁଏ ହେଳା ।