ପକ୍ଷୀ ସମ୍ମିଳନୀ
ପକ୍ଷୀ ସମ୍ମିଳନୀ
ବରଗଛ ଡାଳେ ଡାମରା ବସି,
ସଭା କରୁଥିଲେ ବିହଙ୍ଗ ମିଶି ।
ପାଖରେ ବସିଛି କଜଳପାତି,
କହଇ ଧରାରେ ବଢିଲା ତାତି।
ନଦୀ ନାଳ ସବୁ ଗଲାଣି ଶୁଖି,
ପାଣି ଟୋପେ ପାଇଁ ହେଉଛୁ ଦୁଃଖୀ ।
ନିଜ ଭବିଷ୍ୟ କୁ କରିଣ ମାଟି,
ମଣିଷ ଗଛକୁ ଦେଉଛି କାଟି।
ବଣ ଜଙ୍ଗଲରେ ଲଗାଇ ନିଆଁ,
ବାୟୁ ମଣ୍ଡଳକୁ କରଇ ଧୂଆଁ ।
କାରଖାନା ଧୂଆଁ ତାସାଥେ ମିଶି,
ଦୂଷିତ କରାଏ ଧରାକୁ ବେଶୀ।
ପ୍ରକୃତି ଯଦି କରିବ କୋପ,
ଜୀବ ଜଗତ ହୋଇବ ଲୋପ।
ବିବିଧ ରୋଗରେ ପାଇବେ କଷ୍ଟ,
ମାନବ ସମାଜ ହୋଇବ ନଷ୍ଟ ।
ପଶୁ ପକ୍ଷୀ ପାଇଁ ରହୁ ଉଦାର,
ପ୍ରକୃତି ବଞ୍ଚାଇ ଗଢୁ ସଂସାର ।
ସବୁଜ ସୁନ୍ଦର ରହୁ ବସୁଧା,
ଋତୁ ଚକ୍ରରେ ନପଡୁ ବାଧା।