ପଖିଆ
ପଖିଆ
ଲକ୍ଷିଆ ଭାଇ ପଖିଆ ଖଣ୍ଡେ
ଝଅଟ ଯାଇ ଆଣ l
ବରଷା ହେବ ନାହାକ ପୁଅ
କହିଛି ସାତ ଦିନ ll
ଉଡ଼ି ବୁଲନ୍ତି ଝଡ଼ିଆ ପୋକ
ବେଙ୍ଗ ଦେଲେଣି ରଡ଼ି l
ଘୋର ବରଷା ଆସୁଛି ମାଡ଼ି
ସାଙ୍ଗରେ ଘଡ଼ଘଡ଼ି ll
ବରଷା ରାଜା ବଜାଏ ବାଜା
ବୁଲନ୍ତି ଦାଣ୍ଡେ ଜୋକ l
ଢାଳିବ ଶୁଣ୍ଢେ ଅଇରାବତ
ବୁଡ଼ିବ ତୋର ଭେକ ll
ପୂରୁବ ଦିଗେ ପଡ଼ିଛି ଖଣ୍ଡି
ଭସାଇ ଦେବ ହାଣ୍ଡି l
ରାତିରେ ତୋରା ପଡ଼ଇ ପରା
ଆକାଶଗଙ୍ଗା ଦାଣ୍ଡି ll
ଶ୍ରାବଣ ମାସ ରୁଆ ବେଉସ
ବସିବୁ କିମ୍ପା ଛାଡ଼ି l
ପଖିଆ ବିନା ଲାଗିବ ଯେବେ
ମାସଟା ଯାକ ଝଡ଼ି ll
ପଖିଆ ସିନା ଲକ୍ଷିଆ ଭାଇ
ବାଆ ବତାସି ସାହା l
ଇନ୍ଦର ରାଜା ବାଜା ନ ବଜା
ଝଡ଼ି ବରଷା ଯାଆ ll
ପଖିଆ ମୁଣ୍ଡ ଅଖିଆ ତୁଣ୍ଡ
ଧନ୍ୟରେ ଚଷାଭାଇ l
ସବୁରି ତୁଣ୍ଡେ ଆହାର ଗଣ୍ଡେ
ଯୋଗାଇ ଦେଉ ତୁହି ll
ହେ ହଳଧର ବଡ଼ ଠାକୁର
ପ୍ରଭୁ ହେ ଇଷ୍ଟ ମୋର l
ସଦୟ ହୁଅ ହେ ଦୟାମୟ
ଚଷା ଭାଇକୁ ମୋର ll
