ପିଣ୍ଡ ବ୍ରହ୍ମାଣ୍ଡ ଏକତ୍ଵ
ପିଣ୍ଡ ବ୍ରହ୍ମାଣ୍ଡ ଏକତ୍ଵ
ସୃଷ୍ଟି ସରଞ୍ଚନା ରହସ୍ୟ ଭିତ୍ତିକ
ଶରୀର ତତ୍ତ୍ୱ ନିହିତ
ଭିନ୍ନ ଭିନ୍ନ ତତ୍ତ୍ୱ ପ୍ରାୟତଃ ଜଡ଼ିତ
ପିଣ୍ଡ ବ୍ରହ୍ମାଣ୍ଡ ସହିତ
ପଞ୍ଚ ଭୂତ ସମଷ୍ଟିରେ ଏ ଶରୀର
ପିଣ୍ଡ ବ୍ରହ୍ମାଣ୍ଡ ଏକତ୍ଵ
ଗୁଢ଼ ରହସ୍ୟର ତଥ୍ୟ ଅନୁସାରେ
ନିର୍ଯ୍ୟାସ ପରିଲକ୍ଷିତ ।
ସର୍ବ ପ୍ରଥମରେ ସେ ମହତ୍ ବ୍ରହ୍ମ
ମହତ୍ ବୁଦ୍ଧି ତା' ପରେ
ମହତ୍ ବୁଦ୍ଧି ରୁ ଅହଂମ୍ ଉତ୍ପତ୍ତି
ତିନି ଗୁଣ ତନ୍ମଧ୍ୟରେ
ସତ ରଜ ତମ ଅଟେ ତିନି ଗୁଣ
ତିନି ଗୁଣ ଠାରୁ ତତ୍ତ୍ଵ
ପଞ୍ଚ ତତ୍ତ୍ଵ ଅବା ପଞ୍ଚ ମହାଭୂତ
ଶରୀରରେ ଅବସ୍ଥିତ
ଆକାଶ ବାୟୁ ଅଗ୍ନି ଜଳ ପୃଥିବୀ
ପଞ୍ଚ ତତ୍ତ୍ଵ ରୂପେ ଗଣା
ଶବ୍ଦ ସ୍ପର୍ଶ ରୂପ ରସ ଆଉ ଗନ୍ଧ
ତନ୍ମାତ୍ରା ଭାବରେ ଜଣା ।
ପଞ୍ଚ ତତ୍ତ୍ଵର ରହସ୍ୟ ମଧ୍ୟରୁ
ପ୍ରଥମେ ଆକାଶ ତତ୍ତ୍ଵ
ଶବ୍ଦ ଅଟେ ଆକାଶର ସୁକ୍ଷ୍ମ ତତ୍ତ୍ଵ
କର୍ଣ୍ଣ ସହିତ ଜଡ଼ିତ
ଆକାଶରୁ ବାୟୁ ହୁଅଇ ସମ୍ଭୂତ
ସେଥିରେ ଦୁଇଟି ଗୁଣ
ଧ୍ଵନି ଆଉ ସ୍ପର୍ଶ ବାୟୁ ପ୍ରବାହରେ
ଅନୁଭବ ହିଁ ନିଦାନ
ଆକାଶକୁ ଦେଖି ହୁଏ ସହଜରେ
ମାତ୍ର ନୁହେଁ ଅନୁଭବ
ସ୍ପର୍ଶ ପାଇ ପ୍ରାଣୀ ନିଜ ଶରୀରରେ
ଜାଣେ ବାୟୁ ଅନୁଭବ
ଆକାଶ ଓ ବାୟୁ ମିଶ୍ରଣରେ ଅଗ୍ନି
ତତ୍ତ୍ଵ ହୋଇଛି ଅବଶ୍ୟ
ଶବ୍ଦ ସ୍ପର୍ଶ ରୂପ ସହ ତିନି ଗୁଣ
ନେତ୍ର ବଳେ ଅଗ୍ନି ଦୃଶ୍ୟ
ଆକାଶ ବାୟୁ ଓ ଅଗ୍ନି ସମିଶ୍ରଣେ
ଜଳ ତତ୍ତ୍ଵର ଉତ୍ପତ୍ତି
ଶବ୍ଦ ସ୍ପର୍ଶ ରୂପ ସବୁ ମିଶି ଅଛି
ସ୍ପର୍ଶ-ଦର୍ଶନ ସମ୍ପ୍ରତି
ଭିନ୍ନ ଏକ ଗୁଣ ଜଳରେ ନିହିତ
ସ୍ଵାଦ ରୂପେ ପ୍ରାଣୀ ଜାଣେ
ନାହିଁ ସ୍ଵାଦ ଆକାଶ ବାୟୁ ଅଗ୍ନିର
ଜଳ ସ୍ଵାଦ ଜିହ୍ୱା ଜାଣେ
ଆକାଶ ବାୟୁ ଅଗ୍ନି ଓ ଜଳ ତତ୍ତ୍ଵ
ମିଶ୍ରିତ ଭାବେ ପୃଥିବୀ
ପୃଥିବୀର ବିଶେଷତ୍ଵ ଗୁଣ ଭାବେ
ଗନ୍ଧ ସହିତ ପୃଥିବୀ
ଗନ୍ଧ ଅଟେ ସୁକ୍ଷ୍ମ ତତ୍ତ୍ଵ ପୃଥିବୀର
ନାସିକା କରେ ଆଘ୍ରାଣ
ପଞ୍ଚ ସୁକ୍ଷ୍ମ ତତ୍ତ୍ଵ ପଞ୍ଚ ତତ୍ତ୍ଵ ଠାରୁ
ଇନ୍ଦ୍ରିୟ କରେ ଗ୍ରହଣ
ପଞ୍ଚ ତତ୍ତ୍ଵ ବଳେ ନବ ଜୀବନର
ଶକ୍ତି ଅଛି ଶରୀରରେ
ମାଟିର ଗୁଣ ଓ ଅଗ୍ନି ତେଜ ବଳେ
ଜୀବନ ଯାତ୍ରା ଅଚିରେ
ବାୟୁର ପ୍ରଭାବ ନିଃଶ୍ୱାସ ପ୍ରଶ୍ୱାସେ
କ୍ଷଣ ଭଙ୍ଗୁର ଜୀବନ
ଜଳ ହିଁ ଜୀବନ ଜଳ ବିନିଯୋଗେ
ସୃଷ୍ଟି ରହିଛି ଅକ୍ଷୁର୍ଣ୍ଣ
ସମଗ୍ର ସଂସାର ତତ୍ତ୍ଵ ରେ ଗଠିତ
ବୁଝି ତତ୍ତ୍ଵର ଗୁରୁତ୍ଵ
ସମ୍ମାନ ସହିତ ପୋଷଣ ବିଧେୟ
ପଞ୍ଚ ତତ୍ତ୍ଵର ମହତ୍ତ୍ଵ ।
ସ୍ଵର୍ଗ ମର୍ତ୍ତ୍ୟ ପାତାଳ ବି ଶରୀରରେ
ଉର୍ଦ୍ଧ ମଧ୍ୟ ନିମ୍ନ ଖଣ୍ଡ
ଚଉଦ ବ୍ରହ୍ମାଣ୍ଡ ସାଥେ ସପ୍ତ ପୁର
ଏକବିଂଶ ର ବ୍ରହ୍ମାଣ୍ଡ
ଶରୀର ମଧ୍ୟରେ କୋଣ ଅନୁକୋଣେ
ଜୀବ ପରମ ବ୍ୟାପକ
ପିଣ୍ଡ ବ୍ରହ୍ମାଣ୍ଡର ନିର୍ଣ୍ଣାୟକ ସୂତ୍ର
ଧାରେ ଜୀବନ ସାର୍ଥକ ।