ଫୁଟଫାଥ
ଫୁଟଫାଥ
ଗୋଟିଏ ଦିନର ଗୋଟିଏ ରାତିର
ସାଜିଥିଲି ମୁଁ ଅତିଥି
ମନେ ଆଙ୍କିଥିଲା ଅନେକ ସପନ
ହୃଦୟେ ପ୍ରୀତିର ସ୍ମୃତି ।
ପାଦ ଦେଲି ଯେବେ ଲାଗିଲାକି ସତେ
ଏଇତ ସରଗ ପୁରୀ
ସ୍ନେହ ମମତାର ଭଣ୍ଡାର ଖୋଲିଛି
ଆଶା ଥାଏ ଅସୁମାରୀ ।
ରାତି ସାରା ଏଠି ଗାଡି ଚାଲି ଥାଏ
ଏକାଠି ରହନ୍ତି ସର୍ବେ
କେବେ ସେ ଖାଆନ୍ତି ଉପାସେ ରହନ୍ତି
ଶୋଇଯା'ନ୍ତି ଫୁଟପାଥେ ।
ନୀଳ ଆକାଶର ଖୋଲା ପକ୍ଷୀ ଇଏ
ଡେଣା ଝାଡି ଉଡୁଥାନ୍ତି ।
ଝଡ ବରଷାକୁ ନ ଥାଏ ଖାତର
ଶୀତ ତ ତାଙ୍କରି ସାଥି ।
ରୋଷେଇ କରନ୍ତି ଫୁଟଫାଥରେ ସିଏ
ବଢିଥାନ୍ତି ପିଲା ସେଠି
କେତେ ପିଲାଙ୍କର ପରିଚୟ ହଜେ
ଅନାଥରେ ନାଆଁ ଲେଖି ।
କର୍ମରେ ତତ୍ପର ହେଇଥାନ୍ତି ସିଏ
ମିଳେ ନାହିଁ କାମ ଧନ୍ଦା
ଜୀବନ ଯନ୍ତ୍ରଣା ଦୁଃଖର ନଈରେ
ଘୂରୁଥାଏ ତାଙ୍କ ମଥା ।
ସନ୍ଧ୍ୟା ଆସିଗଲେ ଫୁଟଫାଥ ଇଲାକା
ଆକର୍ଷଣ ବଢିଥାଏ
ଲାଗେରେ ଯେମିତି ପର୍ଯ୍ୟଟଙ୍କର
ସିନ୍ଧୁ ବେଳାଭୂମି ଇଏ ।
ଭୋକ ଶୋଷ କ୍ଷଣେ ଉଭେଇଣ ଯାଏ
ତନୁ ମନ ପୁଲକିତ
ମନ ଲୋଭା ଏଇ ସୁନେଲି ସନ୍ଧ୍ୟାଟି
ଖୁସିରେ କରେ ସ୍ୱାଗତ ।
ସେତେବେଳେ ଲାଗେ ସତରେ ଯେମିତି
ଯାତ୍ରା ପଡିଆଟି ଇଏ
କେତେ ଆଡୁ କେତେ ଦର୍ଶକ ଅଛନ୍ତି
ପୁଣି ଚାଲିଯା'ନ୍ତି ସିଏ ।
ସନ୍ଧ୍ୟା ଯାଇ ଯେବେ ଆସେ ବିଭାବରୀ
ହୃଦୟର ଦ୍ୱାର ଖୋଲେ
ଜୀବନର ସବୁ ଦୁଃଖର କାହାଣୀ
ଦିଶେ ଆଖି ଛଳ ଛଳେ ।
ନିଶା ଗର୍ଜୁଥାଏ ନିଃଶବ୍ଦ ରାତିରେ
ସପନ ସେ ଦେଖୁଥାଏ
ସେ ସ୍ୱପ୍ନରେ ଖୁସି ସାଉଁଟୁ ସାଉଁଟୁ
ରାତି ପାହି ଯାଇଥାଏ ।
ସହରାଞ୍ଚଳରେ ଥାଏ ଫୁଟପାଥ
ଲୋକେ କରୁଥାନ୍ତି ଘୃଣା
ହେଲେ ଭୁଲିଯାନ୍ତି ଦିନେ ହେଲେ ତାଙ୍କ
ପାଦ ହେଇ ଆସେ ବଣା ।