ଫରକ
ଫରକ
ଜନମ ଏଇଠି
ମରଣ ଏଇଠି
ଏଇଠି ସରଗ ନରକ।
ପାପ ,ପୁଣ୍ୟ ଆଉ
ଭଲ ମନ୍ଦ ଏଠି
ସୁଖ ଫୁଲ ଦୁଖଃ କଣ୍ଟକ।
ଖାଲି ବଞ୍ଚିବାରେ ଯାହାଫରକ।
ଏହି ଠାରେ ଅଛି
ଅମୃତ କଳସ
ପାରିଜାତ ଫୁଲ ମହକ।
ଏହି ଠାରେ ମିଳେ
ନରକ ଯନ୍ତ୍ରଣା
ବିଷ ପରିପୂର୍ଣ୍ଣ ଚଷକ।
ଖାଲି ବଞ୍ଚିବାରେ ଯାହା ଫରକ।
ଏହି ଠାରେ ମିଳେ
ମାତା ପିତା ସ୍ନେହ
ଦେବତା ଆଶିଷୁ ଅଧିକ।
ଅନାଦର, ଘୃଣା
ଏଠାରେ ବି ମିଳେ
ଶୋକେ ଭିଜେ ନେତ୍ର ପଲକ।
ଖାଲି ବଞ୍ଚିବାରେ ଯାହା ଫରକ।
ଏଇଠି ମିଳଇ
ରାଜ ସିଂହାସନ
ପାଟ ପିତାମ୍ବରୀ ଚମକ।
ଏଠି ବି ମଣିଷ
ଧରେ ଭିକ୍ଷାଥାଳ
ପାଇବାକୁ ମୁଠାଏ ଭିକ।
ଖାଲି ବଞ୍ଚିବାରେ ଯାହା ଫରକ।
ଏହିଠାରେ ମିଳେ
ଭାଇବନ୍ଧୁ ପ୍ରେମ
ସରଗ ସୁଖଠୁ ଅଧିକ।
ଏଠି ଲୋକ ବଞ୍ଚେ
ହୋଇ ଏକା ଏକା
ଝରାଇ ଆଖିରୁ ଲୋତକ।
ଖାଲି ବଞ୍ଚିବାରେ ଯାହା ଫରକ।
ଏଠାରେ ମିଳଇ
ମାନ ସନମାନ
ଫୁଲମାଳ ସୁନା ପଦକ।
ଏଠାରେ ବି ଥାଏ
ନିନ୍ଦା ଅପମାନ
ବାଣୀ ମରମ ବିଦାରକ।
ଖାଲି ବଞ୍ଚିବାରେ ଯାହା ଫରକ।
ମାଟି, ପାଣି ,ତେଜ,
ବାୟୁ ଓ ଆକାଶ,
ସଭିଙ୍କ ପାଇଁ ତ ସେ ଏକ।
ତାହେଲେ କାହିଁକି
ଏତେ ଭେଦଭାବ
ବଞ୍ଚିବାରେ ଏହି ଫରକ?
ଏଠାରେ ମଣିଷ
ନିଜ ହାତେ ଗଢେ
ନିଜ ପାଇଁ ସ୍ଵର୍ଗ ନରକ।
ଭଲ କାମେ ଧରା
ସରଗ ପାଲଟେ
ମନ୍ଦ କାମେ ହୁଏ ନରକ।
ସେଥିପାଇଁ ଏହି ଫରକ।