ଫିଟୁ ନଥିବା ପାଟି
ଫିଟୁ ନଥିବା ପାଟି
ଫିଟୁ ନଥିବା ଲୋକର ପାଟି
ଫଟଉଛି ହାତ,
ଫାଟି ଯାଉଛି ମାଟି ଓ ମାଉଁସ
କୋଉ ଏକ ଦୋ ଦୋ ଚିହ୍ନା ଅନ୍ଧାରୀ ରାସ୍ତାରେ,
ଜାଣେନା ସେ କେବେଠାରୁ -
ବିକି ଦେଇଛି ମନ ଓ ମାନକୁ
ହାଡକୁ ହିଡ କରି
ଲୁହକୁ ଲଙ୍ଗଳ ସଜେଇ
ଚିରି ଦେଇଛି ଛାତିର ପଞ୍ଜରା ।
ବିଲରୁ ଆଉ ବାହାରୁନି ବିହନ,
ବାଲି ଚରିଯାଉଛି ସାତପ୍ରାଣୀ କୁଟୁମ୍ବର -
ତତଲା ପ୍ରଶ୍ୱାସ,
ସାହୁକାର ଓଳି ତଳେ ସତେଅବା ଖତେଇ ହେଉଛି
ରୃତୁମତୀ ବାଦଲର ଈର୍ଷା,
ବିଧବାର ବର୍ଣ୍ଣମାଳା ଭିତରେ ବି -
ଦିଶୁନାହିଁ ପବନର ପିଠି
ପାଇବାକୁ ଆଶ୍ୱାସନା ଟିକେ !!!
ଆକାଶଟା ଆଜନ୍ମ ଭିକାରୀ ବୋଲି -
ଜାଣି ସେ ନଥିଲା
ନହେଲେ ପେଟକୁ ପୋଷା ମନେଇ ଥାଆନ୍ତା ପିଲାବେଳୁ,
ଭୋକର ଭୟରେ ଭାସୁ ନଥାନ୍ତା
ତା' ପ୍ରିୟ ଲୋକର ମୁହଁ,
କଲବଲ କରି ଦେଖୁ ନଥାନ୍ତା -
ଅଶୀ ବର୍ଷ ରୋଗୀଣା ମାଆର ଦରଜ,
ପଖାଳର ପାଚେରୀ ଭିତରେ
ଖୋଜୁ ନଥାନ୍ତା ବାସି ରୋଟିର ବାସ୍ନା ,
ପରଘରେ ଖଟି ଖଟି
ଅଧା ପୃଷ୍ଠାର ଜୀବନ ଭିତରେ
ଜୀଇଁବାକୁ ବାଟ କଢ଼ାଉ ନଥାନ୍ତା ତା' ଭାରିଯା ।
ମାଟି ଫାଟିଲା ବୋଲିତ
ଛାତି ଫାଟି ଆଁ ହେଲା
କାର୍ତ୍ତିକର କାଠୁଆ ଜାଡରେ,
ଜାଗରରେ ଜଳିଗଲା ଜମିର ଜାତକ
ହୋଲିରେ ହଜିଲା ତାର ହସ୍ତାକ୍ଷର -
ରଜରେ ରାଗିଣୀ,
ଖାଲିଯାହା ପଡିଥିଲା ପେଟର ଦରଜ ତଳେ
ସାହୁକାର ନାଲିଆଖି -
ଆଉ ଗୋଟେ ଅଧାଗଢ଼ା ଚାଷୀର ଜୀବନ ।