ପାଷାଣୀ ଅହଲ୍ୟା
ପାଷାଣୀ ଅହଲ୍ୟା
ରାମାୟଣ ଗାଏ ବିଧାତା ଗଢିଲେ
ଅହଲ୍ୟା ପ୍ରଥମ ନାରୀ ।
ଗୌତମ ମୁୁନିଙ୍କୁ କରିଲେ ପ୍ରଦାନ
ସେହି ଅପୂର୍ବ ସୁନ୍ଦରୀ ।୧।
ଅପରୂପ ରୂପ ଲାବଣ୍ୟେ ଆସକ୍ତ
ହୋଇ ଦେବରାଜ ଥରେ ।
ଗୌତମ ମୁୁନିଙ୍କ ଛଦ୍ମବେଶ ଧରି
ଅସତୀ କଲେ ସତୀରେ ।୨।
ଋଷି ଅଭିଶାପେ ଇନ୍ଦ୍ର ସସ୍ରଯୋନି
ଅହଲ୍ୟା ହେଲେ ପାଷାଣୀ ।
ମୁୁନିଙ୍କ ଆଶ୍ରମେ ପଡି ରହିଥାନ୍ତି
ଖରା ବରଷାରେ ପୁଣି ।୩।
ଧନୁ ଯଜ୍ଞ ହେବ ମିଥିଳା ରାଜ୍ୟରେ
ନିମନ୍ତ୍ରିତ ହୋଇ ମୁନି ।
ବିଶ୍ଵାମିତ୍ର ଗଲେ ଜନକପୁରକୁ
ରାମ ଲକ୍ଷ୍ମଣଙ୍କୁ ଘେନି ।୪।
ଆଶ୍ରମୁ ବାହାରି ପଥରେ ଦେଖିଲେ
ଖଗ ମୃଗ ଜୀବ କେହି ।
ନାହାନ୍ତି ଖଣ୍ଡିଏ ଶିଳା ପଡ଼ିଅଛି
ଆଶ୍ରମ ଗୋଟିଏ ତହିଁ ।୫।
ପୁଚ୍ଛିଲେ ଶ୍ରୀରାମ କିସ ଏ ଚରିତ
ବିସ୍ତାରି କହିଲେ ମୁନି ।
ଗୌତମ ଘରଣୀ ପଡିଛନ୍ତି ଏଥି
ଅହଲ୍ୟା ହୋଇ ପାଷାଣୀ ।୬।
ପୁଣ୍ୟଶ୍ଳୋକ ସତୀ କନ୍ୟକା ଅହଲ୍ୟା
ପତି ଶାପ ଗ୍ରସ୍ତା ହୋଇ ।
ପଡିରହିଛନ୍ତି କମଳନୟନ
ତବ ପଦରଜ ପାଇଁ ।୭।
କରୁଣାନିଧାନ କରିବ କରୁଣା
ପାଷାଣୀ ଅହଲ୍ୟାଠାରେ ।
ଶୁଣି ମୁନିବାଣୀ ରଘୁକୁଳମଣି
ପଦ ପରଶ ଦେବାରେ ।୮।
ତପମୂର୍ତ୍ତି ହୋଇ ସ୍ୱ-ଶରୀର ପାଇ
ଉଭା ପାଷାଣୀ ଅହଲ୍ୟା ।
ପଦୁ ଯାର ଗଙ୍ଗା ଧାର ହୋଇ ବହେ
ସେ ପଦରଜ ଲଭିଲା ।୯।
ପାପ ତାପ ଶୋକହାରୀ ଯେ
ଉଁ ପଦ
ଶିବ ବିରଞ୍ଚି ଚିନ୍ତନ୍ତି ।
ସେ ପଦ ପଡିଲା ଅହଲ୍ୟା ମସ୍ତକେ
ଦେଖ ତାର ପ୍ରଭୁ ପ୍ରୀତି ।୧୦।
ପଦେ ପଡେ ଧିରେ ବଚନ ନ ସ୍ଫୁରେ
ମନେ ଧରିଲା ଧଇର୍ଯ୍ୟ ।
ପ୍ରଭୁଙ୍କୁ ଚିହ୍ନିଲା ମଧୁ ସ୍ତୁତିକଲା
ଜୟ ରଘୁନାଥ ଆର୍ଯ୍ୟ ।୧୧।
ଅପବିତ୍ର ନାରୀ ମୁଁ ଅଟଇ ପ୍ରଭୁ
ତୁମେ ସଭିଙ୍କୁ ପବିତ୍ର ।
କରିଥାଅ ସଦା କମଳନୟନ
ତୋଷ ଭକତଙ୍କ ଚିତ୍ତ ।୧୨।
ସଂସାର ବନ୍ଧନ ମୁକତ କରାଅ
ଭୟହାରୀ ରାବଣାରି ।
ଶରଣାଗତ ମୁଁ ଚରଣରେ ତବ
ରଖ ବାରେ ଦୟାକରି ।୧୩।
ମୁୁନିଙ୍କର ଶାପ ହେଲା ଆଶୀର୍ବାଦ
ଯାହାର ଫଳ ସ୍ୱରୂପ ।
ଦିବ୍ଯ ଦରଶନ ଲଭିଲି ତୁମର
ଏବେ ମୁଁ ହେଲି ନିଷ୍ପାପ ।୧୪।
ମହା ଲାଭ ଏହା କହନ୍ତି ଶଙ୍କର
ଏଇ ବିନତି ମୁଁ କରେ ।
ମୋ ମନଭ୍ରମର ତବ ପଦକଞ୍ଜେ
ମଧୁ ପିଉ ନିରନ୍ତରେ ।୧୫।
ଗଙ୍ଗା ଯେଉଁ ପାଦୁ ବହିଲେ ମସ୍ତକେ
ବହିଅଛନ୍ତି ଶଙ୍କର ।
ବିଧାତା ପୂଜନ୍ତି ଯେଉଁ ପାଦ ପ୍ରଭୁ
ଦେଲେ ସେ ପାଦ ମୋ ଶିର ।୧୬।
ବାରମ୍ବାର ପଡି ପ୍ରଭୁଙ୍କ ଚରଣେ
ଗଦଗଦ ସେ ହୋଇଲା ।
ଦିବ୍ଯ ବର ଲଭି ପାଷାଣୀ ଅହଲ୍ୟା
ପତିଲୋକକୁ ଚଳିଲା ।୧୭।
ଅହଲ୍ୟା ଦ୍ରୌପଦୀ ତାରା ମନ୍ଦୋଦରୀ
କୁନ୍ତୀ ପଞ୍ଚ କନ୍ୟାଙ୍କର ।
ନାମ ଉଚ୍ଚାରଣ ପ୍ରାତଃକାଳେ ମହା-
ପାତକ କରଇ ଦୂର ।୧୮।