ପାହି ଗଲା ରାତି
ପାହି ଗଲା ରାତି


ଉଠ ଧନମଣି ପାହି ଗଲା ରାତି
ଛପିଯିବ କୁଆଁ ତାରା
ସୁରଜ ଉଇଁବା ସମୟ ହେଲାଣି
ଧରଣୀ ଦିଶଇ ତୋରା।
ସବୁଠି ଶୁଭୁଛି ଗହଳ ଚହଳ
ଭୂମି ଠାରୁ ଭୂମା ଯାଏ
ଚୁମି ଚୁମି ଭକ୍ତ କାନେ କହିଦିଏ
ସୁନ୍ଦର ତା ଲୀଳା ପ୍ରାଏ।
ସତ୍ୟର ବିଜୟ ଅସତ୍ୟ ଉପରେ
ଅଧର୍ମ ହୁଅଇ ନାଶ
ଦୁଷ୍ଟ ଜନ ସବୁ ଅପସରି ଯିବେ
ଲୀଳା ମୟ ଡୋର ଫାଶ।
ବେଳ ଥାଉ ଥାଉ ସତର୍କ ହୋଇବା
ଶୁଭ ମୟ ସଂସାରରେ
ତାଙ୍କରି କରମ ତାଙ୍କରି ଧରମ
ପୂର୍ଣ୍ଣ ହେଉ ଜୀବନରେ।
ତୁମେ ଜଗନ୍ନାଥ ତୁମେ ଇଛାମୟ
ଭକତ ବାନ୍ଧବ ହରି
କରିତ କରାଅ ସବୁକିଛି ଏଠି
ପଦ ପଙ୍କଜ କେ ସରି।