ପାହାଡ ଛାତିରେ ନିଆଁ
ପାହାଡ ଛାତିରେ ନିଆଁ
ଦୂର ପାହାଡ଼ ର ଛାତିରେ କିଏସେ
ଲଗାଇ ଦେଇଛି ନିଆଁ
ରାତିରେ ଦିଶୁଛି ଶିଖା ହୁତୁହୁତୁ
ଦିନରେ ଦିଶୁଛି ଧୂଆଁ।।
ଆଖିପିଛୁଳାକେ ଜଳିଯାଉଅଛି
କେତେ ଗଛ କେତେ ଲତା
ଜଳି ଯାଉଛନ୍ତି ବନ ପଶୁ ପକ୍ଷୀ
ମିଳୁନାହିଁ ତାଙ୍କ ପତ୍ତା ।।
ଗଛ ଜଳିଯାଏ କାଠ ଜଳିଯାଏ
ପଥର ନିକୁଟେ ଦାନ୍ତ
ତତଲା ପବନ ଦହଗଞ୍ଜ କରେ
ଚଇତାଳି ଭୁଲେ ବାଟ ।।
ଗଛର ମୂଲ ତ ବୁଝନ୍ତିନି ସେହି
ଅବୁଝା ନିର୍ଦୟ ଲୋକ
ଜଙ୍ଗଲ ରେ ନିଆଁ ଲଗାଇ ଦେଇ ସେ
ପାଆନ୍ତି ବା କେଉଁ ସୁଖ ?
କାଠ ଜଳି କାଳେ କୋଇଲା ହୋଇଲେ
ବଜାର କୁ ନେବେ ବୋହି
କାଠ ଠାରୁ ବେଶି କୋଇଲା ର ମୂଲ
ଏତିକି ବୁଝନ୍ତି ସେହି ।।
କେଇଟା ଟଙ୍କାର ମୋହରେ ସେମାନେ
ଯାଆନ୍ତି ପାଗଳ ହୋଇ
ଜଙ୍ଗଲର ମୂଲ ବୁଝିବା ପାଇଁକି
ବେଳ ବା ତାଙ୍କର କାହିଁ!
ବଣ ଜଙ୍ଗଲ କୁ ଉଜାଡି ଦେବାରୁ
ଋତୁ ହୁଏ ବାଟ ବଣା
ବଣ ନାହିଁ ବୋଲି ଶରତ ବସନ୍ତ
ଋତୁ ପଡନ୍ତିନି ଜଣା ।।
ଗଛ ଲତା ଆଉ ବଣ ପଶୁ ପକ୍ଷୀ
ଆମକୁ କରନ୍ତି ଅଳି
ନିର୍ଦୟ ମଣିଷ ଅବୁଝା ହୁଅନି
ଦିଅନା ଆମକୁ ଜାଳି ।।