ଓଃ କି ଖରା !
ଓଃ କି ଖରା !
ଓଃ ଖରା !
ସାରା ଖରା ପଣତରେ ବାନ୍ଧି
ମାଆ ସେକେ ପିଠି
ପେଟରେ ପେଟେ ଖରା ଖାଇ
ବାଢିଦିଏ ପଖାଳ କଂସାକ
ସ୍ୱାମୀ ସନ୍ତାନଙ୍କୁ
ଆନନ୍ଦରେ ଝଲସୁଥାଏ ତା ମୁହଁ
ମହ ମହ ବାସୁଥାଏ ତା ଖରା ଖିଆ ଝାଲୁଆ ଗନ୍ଧ ଦିହ।
ରାତିରେ ନିବୁଜ କୋଠରୀ ଭିତରେ ପ୍ରଚଣ୍ଡ ଖରା
ଅଂଶୁଘାତେ ଛଟପଟ କରେ
ଗୋଟେ ଅସହାୟ ଦେହ
ପୋଡି ଜାଳି ଦିଏ କେତେ
ଅଭଙ୍ଗା ଦର୍ପଣ
ସିଝିଯାଏ ଇଛା ଯେତେ।
ବାହାରେ କେଉଁ ହୋଟେଲ ବ୍ଲୁ ଲାଇଟ ତଳେ
ଉନ୍ମାଦ ସଙ୍ଗୀତ ସୁର
ଟଳମେଳ ପାଦର ନୃତ୍ୟ
ବେଫିକର ବୋତଲ ଅଟ୍ଟହାସ୍ୟ କରେ
ତୀବ୍ର ଖରା ଡହକ
ସେକୁଥାଏ ଉତ୍ସୃଙ୍ଖଳ ମୋହ
ଅଙ୍ଗକୁ ଅନଙ୍ଗ ଖରାରେ
ଦଳି ଚକଟି କଅଁଳ ଫୁଲ କେଇଟା।
ଭୋକ ଖରା ତୀବ୍ରତର
ଟକମକ ମାଟି ହାଣ୍ଡିରେ ପାଣି ଫୁଟେ
ପେଟରେ ପେଟେ ଖରା
ଜରି ଗୋଟାଏ
ନାଳ ନର୍ଦ୍ଦମାରୁ ଖୋଜେ ଖାଦ୍ୟ
ମଲା ମାଆ ଛାତି ରଗୁଡୁଥାଏ ଛୁଆ
ରେଳଷ୍ଟେସନରେ।
ଖରା ଖରାର ଏ ଜୀବନ
ଭିତରେ ନିର୍ଧୁମ ଖରା
ବାହାରେ ଆହୁରି ଅସହ୍ୟ
ଘରେ ଖରା
ବାହାରେ ଖରା
ଅଭାବ ଖରା
ଆତଙ୍କ ଖରା
ଯୁଦ୍ଧ ଖରା
ଓଃ କି ଖରା ! ଚାରିଆଡେ
ଖାଲି ଖରା ଆଉ ଖରା।