ଓଡ଼ିଆଣୀ
ଓଡ଼ିଆଣୀ
ଓଡ଼ିଆ ରମଣୀ ମଥାରେ ଓଢଣୀ
ହାତେ ଶଙ୍ଖା ଚୁଡି ତାର
ଆଖିରେ କଜ୍ଵଳ ସୀମନ୍ତେ ସିନ୍ଦୂର
ପାଦେ ଅଳତାର ଗାର।
ସ୍ୱର୍ଣ୍ଣ ରୈ|ପ୍ୟ ଆଦି ବିଭିନ୍ନ ପ୍ରକାର
ଅଳଙ୍କାରେ ସୁସଜ୍ଜିତ
ଓଡ଼ିଆ ଚଳଣି ଢଗ ଓ ଢମାଳି
ଅଟେ ପରମ୍ପରା ଗତ।
ଗୋଠ ବଳା ଗୁଣା ବସଣି ଝୁମୁକା
ରୁଲି କଙ୍କଣ ତାବିଜ
ଚନ୍ଦ୍ରହାର କାପ ପାହୁଡ ଝୁଣ୍ଟିଆ
ଅଟେ ଓଡ଼ିଆଣୀ ସଜ।
ସଂସ୍କାର ସଂସ୍କୃତି ପରମ୍ପରା ନୀତି
ଆଦର୍ଶକୁ ମାନି ଚଳେ
ଵାର ଵ୍ରତ ଓଷା ଉପବାସ କରି
ମନ୍ଦିରରେ ଦୀପ ଜାଳେ।
ବୟୋଜ୍ୟେଷ୍ଠ ଠାରେ ଭକ୍ତି ଅର୍ଘ୍ୟ ଵାଢେ
କନିଷ୍ଠେ ସ୍ନେହ ଶରଧା
ସଂସାରର ଯେତେ ରାଗ ଅଭିମାନ
ତା କାନି ପଣତେ ବନ୍ଧା।
ନୀତି ନିୟମରେ ଚଳିବା ସହିତ
ଅନ୍ୟକୁ ଦିଅଇ ଶିକ୍ଷା
ସହିଵା ଗୁଣରେ ଧରିତ୍ରୀ ସମାନ
ମମତାରେ ଚିରସ୍ରୋତା।
ଗୃହର ଭଣ୍ଡାର ଚାବି ପେନ୍ଥା ତାର
ପଣତ କାନିରେ ଥାଏ
ଦୂର ଦ୍ରଷ୍ଟା ହୋଇ ସଂସାର ନାଆକୁ
ସୁଖରେ ଚଳାଇ ନିଏ।
ଖାଣ୍ଟି ଓଡ଼ିଆଣୀ ଓଡ଼ିଆ ଚଳଣି
କିଏ ଯିଵ ତାକୁ ଵଳି
ପିଠା ପଣା ଝୋଟି ହୁଳହୁଳି ସାଥେ
ବିଭିନ୍ନ ରନ୍ଧା ପ୍ରଣାଳୀ।
ସଂସ୍କୃତିର ବାର୍ତ୍ତା ବହନକାରୀ ସେ
ଓଡ଼ିଆଣୀ ଯେ ଅଟଇ
ପିଢି ପରେ ପିଢ଼ି ମାନି ଚଳିଥାନ୍ତି
ସେହି ସଂସ୍କୃତିକୁ ନେଇ।