ନ୍ୟାୟ-ଅନ୍ୟାୟ
ନ୍ୟାୟ-ଅନ୍ୟାୟ


ଅନ୍ୟାୟ ମାଗୁଛି ନ୍ୟାୟକୁ ନ୍ୟାୟ
ତରାଜୁଟି ଅଠାକାଠି
ଅନ୍ୟାୟ ଟାଣୁଛି ତଳକୁ ତଳକୁ
ନ୍ୟାୟ ଯାଉଛି ସଙ୍କୁଚି ।
ଅର୍ଦ୍ଧ ସତ୍ୟ ମିଥ୍ୟା ସାକ୍ଷ୍ୟ ବିତର୍କଣା
ରାହୁକେତୁ ଛାୟା ମାୟା
ଗ୍ରାସି ଯାଉଅଛି ଆଲୋକ ଅମୃତ
ସତ୍ୟ ଧର୍ମ କର୍ମ ନିଷ୍ଠା ।
ଧର୍ମ ଅବତାର ଧରମ ଦୁଆର
ଆଇନର ପେଡ଼ି ପୋଥି
ପାଗ ଭିଡୁ ଭିଡ଼ୁ ନ୍ୟାୟ ବିଳମ୍ବିତ
ଖସିଯାଏ ଅପରାଧୀ ।
ତୁଟୁଛି ବିଶ୍ୱାସ ସମ୍ବନ୍ଧ ସମ୍ପର୍କ
ଉଚ୍ଛନ୍ନ ଘର ସଂସାର
ଅର୍ଥ ଲୋଭ ହିଂସା ଚୋରି ଡକାୟତି
ବଢେ ହତ୍ୟା ବଳାତ୍କାର ।
ହସୁଅଛି ମ୍ଳେଚ୍ଛ ନ୍ୟାୟ ତ ନୀରବ
ସାଧୁ ଗଣଇ ପ୍ରମ
ାଦ
ବେଢିର ଉପରେ କୋରଡ଼ା ସଦୃଶ
ବିଚାର ବ୍ୟୟ ବହୁଳ ।
ଅର୍ଥ ବାହୁବଳ କ୍ଷମତା ପ୍ରଭାବେ
ବ୍ୟବସ୍ଥା ମନ୍ଥର ଧୀର
ଆଇନ ପ୍ରକ୍ରିୟା ଉପରେ ଭରସା
ତୁଟୁଅଛି ପୀଡ଼ିତର ।
ଧନ ଓ ଜୀବନ ଯଦି ଅସୁରକ୍ଷ
ମଣେ ଜନ ସାଧାରଣ
ଜାତୀୟ ସଂହତି ଉନ୍ନତି ପ୍ରଗତି
ମୂଲ୍ୟହୀନ ଅକାରଣ ।
ଉଚିତ ତ୍ୱରିତ ନ୍ୟାୟ ସମୁଚିତ
ଉପଯୁକ୍ତ ଦଣ୍ଡ ବିଧି
ସୁଦୃଢ଼ କରଇ ସମାଜ ବ୍ୟବସ୍ଥା
ରାଜନୀତି ଅର୍ଥ ନୀତି ।
ଘର ପରିବାର ହେଉ ସ୍ଵାବଲମ୍ବୀ
ଆଚରୁ ନିଷ୍ଠା ଉତ୍ତମ
ବରିଷ୍ଠ ବାଳୁତ ମହିଳା ସୁରକ୍ଷା
ହେଉ ସାମାଜିକ ଧର୍ମ ।