ନୂଆ ଯୁଗର ସାହିତ୍ୟ
ନୂଆ ଯୁଗର ସାହିତ୍ୟ
ହେ ସାରସ୍ୱତ ଜଗତ ଶିଳ୍ପୀକୁଳ !!
ଜାଗି ଉଠ, ଗଡିଯାଉଛି ବେଳ।
ନୂଆ ସକାଳ ଆସିବାକୁ ଡେରି
ନାହିଁ, ନିଜକୁ ପ୍ରସ୍ତୁତ କରି ରଖ।
ସମୟକୁ ମାପିବା ଲାଗି ଖୋଜନି
ମାନସିକ ଦକ୍ଷତା। ନିଜ ହୃଦୟ
ଖୋଲି "ବ୍ୟାପକ ଦୁନିଆ"ର
ରଙ୍ଗ କେମିତି ଦିଶୁଛି ଦେଖ !!
ମନକୁ ଉତ୍କଣ୍ଠା, ନିରାଶ ଚାପରୁ
ମୁକ୍ତ କରି କଲମକୁ ସଶକ୍ତ କର ।
ଜ୍ଞାନ, ବିଜ୍ଞାନର ଅନ୍ତର୍ଦୃଷ୍ଟି ବଳରେ
ସତ୍ୟର ବାସ୍ତବ ରୂପ ପରଖି ନିଅ।
ବିଶ୍ୱ ମହାମାରୀ ବିପର୍ଯ୍ୟୟ ଆଣିଛି
ଦୃଶ୍ୟପଟରେ ବିପୁଳ ପରିବର୍ତ୍ତନ।
ସମୟର ଆହ୍ୱାନକୁ କାନେଇ ଶୁଣ !
ଚେତନଶୀଳ ମାନବତାବାଦ ଲାଗି
ଖୋଜି ଆଣିବାକୁ ହେବ ସଞ୍ଜିବନୀ,
ଜୀବନ ଲାଗି ନୈତିକ ମୂଲ୍ୟବୋଧ,
ଲେଖନୀରେ ନୂଆ ସୃଜନର ଧାରା,
ଯାହା ସ୍ଥିତି ବଦଳାଇ ଦେବ !!
ଏମିତି ଦୃଶ୍ୟପଟ ବଦଳି ଯାଇଥିଲା
ଦ୍ୱିତୀୟ ବିଶ୍ୱଯୁଦ୍ଧ ଘନଘଟା ପରେ।
କଳା,ସାହିତ୍ୟ, ସ୍ଥାପତ୍ୟ ଓ ଜୀବନ
ଶୈଳୀରେ ପରମ୍ପରା ଧାରା ଭାଙ୍ଗି
ଥିଲା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ,
ଆଣିଥିଲା ଆଧୁନିକ ସାହିତ୍ୟ ଯୁଗ।
ଗଣତନ୍ତ୍ରର ଅଦ୍ଭ୍ୟୁଦୟ ନୂଆ ଆଶା
ଓ ମୂଲ୍ୟବୋଧର ସ୍ୱପ୍ନ ବୁଣିଥିଲା।
ଶିଳ୍ପ ବିପ୍ଳବ ପରେ ବଢି ଚାଲିଥିବା
ପୁଞ୍ଜିବାଦ, ଶ୍ରେଣୀ ବିଭାଜନ ନୀତି
ବିଶ୍ୱ ଚେତନାରେ କ୍ଷତ ସୃଷ୍ଟି କଲା।
ଅତିବାସ୍ତବବାଦ, କଳ୍ପନା ଜାଲରେ
ଛନ୍ଦି ପଡ଼ିଲା ସାହିତ୍ୟର ମୁକ୍ତ ଧାରା।
ଆଧୁନିକତା ନାଆଁରେ ମୁଣ୍ଡ ଟେକିଥିଲା
ରହସ୍ୟବାଦ ଧାରା, ଉଦ୍ଭଟ ସାହିତ୍ୟ।
ଦୁର୍ବୋଧ୍ୟ ସାହିତ୍ୟରୁ କ୍ରମେ ଦୂରେଇ
ଗଲେ ବୁଦ୍ଧିଜୀବୀ, ପାଠିକାପାଠକ।
ସମୟ କାହାକୁ ଅପେକ୍ଷା କରେନି !!
ପୁଣି ନୂଆ ବାଟ ଖୋଜିଥିଲେ ଶିଳ୍ପୀ
ପରୀକ୍ଷା ନିରୀକ୍ଷା ମଧ୍ୟରୁ ଜନ୍ମିଥିଲା
ଉତ୍ତର ଆଧୁନିକତା, ସମସାମୟିକ
ସାହିତ୍ୟର ମିଶ୍ର କଳାତ୍ମକ ରୂପ।
ୱେବ, ଇଣ୍ଟରନେଟ, ବିଶ୍ୱବଜାର
ଯୋଗାଇଥିଲା ନୂଆ ଚିନ୍ତାଚେତନା।
ତଥାପି ସରି ନ ଥିଲା ବୌଦ୍ଧିକତା,
ମାୟାବାଦ ଓ ସମ୍ମୋହନର ଖେଳ !!
ଏବେ ବିଶ୍ୱ ମହାମାରୀ କରାଳ ରୂପ
ବଦଳାଇଛି ଜୀବନର ମୂଲ୍ୟବୋଧ।
ଖୋଲି ଦେଇଛି ଆଖିରୁ ଅନ୍ଧପୁଟୁଳି।
ପ୍ରତିକୂଳ ସ୍ଥିତି ସଭିଙ୍କୁ ଦେଇଛି ନୂଆ
ସର୍ଜନା ଓ ଯୁଗ ଚେତନାର ସନ୍ଦେଶ।
ସତ୍ୟକୁ ସାମ୍ନା କରିବାକୁ ଲୋଡ଼ା ଦୃଢ
ସାହସ ଓ ତାରୁଣ୍ୟର ଭାବାବେଗ।
ଏହା ଆତ୍ମଗୋପନର ବେଳ ନୁହେଁ !!
ଜାଗି ଉଠ ଦେଖ ! ମହାମାରୀ ଦାରୁଣ
ବିପର୍ଯ୍ୟୟ ସତ୍ତ୍ବେ ସମାଜରେ କେମିତି
ବଢିଚାଲିଛି ଅର୍ଥନୈତିକ ଅସମାନତା,
ଅସହାୟତା, ବେକାରୀ ଓ ଦୈନ୍ୟତା।
ମୂଲ୍ୟବୋଧର ଅବକ୍ଷୟୀ ମାନସିକତା।
ଆସ ଜୀବନର କାରୁଣ୍ୟକୁ ମାପି ନିଅ
ସମୟର ଆହ୍ୱାନ, ଆବଶ୍ୟକତା ବୁଝି
ସାହିତ୍ୟ ସର୍ଜନାର ଆଭିମୁଖ୍ୟ ପରଖ।
ଆମେ ଭାଗ୍ୟବାନ ଯେ, କଠିନତମ
ସମୟରେ ଆମେ ଶବ୍ଦର ରୂପକାର।
ଆମକୁ ଲେଖନୀରେ ରୂପଦେବାକୁ
ହେବ ଜୀବନ, ସମୟର ସ୍ପନ୍ଧନକୁ।
ନୂଆ ପରିବର୍ତ୍ତନ ଦ୍ୱାର ଦେଶରେ
ଉପନୀତ ପୃଥିବୀ, ଆଖି ଆଗରେ
ଅନେକ ଚ୍ୟାଲେଞ୍ଜ ଓ ସମ୍ଭାବନା।
ଆସ ଛଳନା ଛାଡି ସତ୍ୟନିଷ୍ଠ ହେବା।
ନିର୍ଭୀକତାର ସହ ଲେଖନୀରେ ଭରି
ଦେଵା ନୂଆ ଆଶା, ବିଶ୍ୱାସର ରଙ୍ଗ ।
ସମାଜ, ଶାସନ ବ୍ୟବସ୍ଥା ଉପରୁ ଛଦ୍ମ
ଆବରଣ ଖୋଲି ଆଣିଦେବା ସ୍ୱଚ୍ଛତା।
ଲେଖିବା ନଵ୍ୟ ଯୁଗର ପରିଭାଷା।
ଆତ୍ମଚେତନା ସହ ବିଶ୍ୱଚେତନାକୁ
ମିଶାଇ ଖୋଜିବା ଜୀଇଁବାର ବାଟ।
ସାହିତ୍ୟ ହେବ ନୂଆଯୁଗ ବାର୍ତ୍ତାବହ
ସାଂସ୍କୃତିକ ଜୀବନର ଅବିଚ୍ଛନ୍ନ ଅଙ୍ଗ,
ଜୀବନ ଧାରାର ଏକ ସ୍ୱଚ୍ଛ ଦର୍ପଣ।
*******