ନୂଆ ବରଷ ମନ ହରଷ
ନୂଆ ବରଷ ମନ ହରଷ
ଡିସ୍କୋ ଡାଆଁସ ମଦ ମାଉଁସ
ଝୁମି ଝୁମି ଆସୁଛି
ଏଇ ଯେ ନୂଆ ବରଷ
ଟଙ୍କା ଦେଇ କିଣୁଛି ମଣିଷ
ଆପଣାର ଲାଗି ଟିକେ ହରଷ।
ଟଳ ମଳ ପାଦ ଢଳ ଢଳ ଆଖି
ଡାଆଁସ ଦେଖାରେ ମନଯାଏ ଲାଖି
ରକ୍ ପପ୍ ସଙ୍ଗୀତର ମୂର୍ଚ୍ଛନାରେ
ହ୍ୱିସ୍କି ରମ୍ ଭୋଡକା କୋଲାର
ବାସନାରେ ମନଯାଏ ହଜି।
ଚିକ୍ ମିକ୍ ଝିକ୍ ମିକ୍ ଆଲୁଅରେ
ମନକୁ ଖୋଜି ଖୋଜି
ନିଜେ ଯାଏ ହଜି ମଦିରାର
ମତୁଆଲା ମହକରେ
ଅବା ନୂଆ ବର୍ଷର ମାଦକତାରେ।
ସତେ ଅବା ପୁରୁଣା ବର୍ଷର
ତମାମ ବିଫଳତା ଶୈଥିଲ୍ୟ
ଯିବ ନୂଆ ବର୍ଷରେ ବଦଳି
ଏମିତି ଭାବୁ ଭାବୁ ମଦିରା
ନିଶାରେ ନିଜେ ଯାଏ ହୁଗୁଳି।
କ୍ଯାଲେଣ୍ଡର ବଦଳୁଥାଏ
ତାରିଖ ମାସର ସଂଖ୍ୟା ଗଡୁଥାଏ
ଏମିତି ପ୍ରତିଥର ନୂଆ ବରଷରେ
ମାତାଲ୍ ମଣିଷ ବିଭୋର ଥାଏ
ସୁରା ସାକୀର ବଜାରରେ।
ଜୀବନରେ କିଛି ବି ବଦଳୁ ନଥାଏ
ପୁରୁଣା ଅଭ୍ୟାସ କି ପୁରୁଣା ସାଥି
ତଥାପି ନୂଆ ବରଷରେ
କିଛି ତ ବଦଳିବାର ସମ୍ଭାବନାରେ
ଡୁବିଥାଏ ସିଏ ପାପର ପଙ୍କରେ।