ନିୟତିର ଖେଳ
ନିୟତିର ଖେଳ
ଗଢିଛି ଜୀବନ ସେ ବିଶ୍ବବିଧାତା
ପାଇଛି ଜୀବନ ମୁହିଁ,
ଜନକ ଜନନୀ ଦୁନିଆ ଆଲୋକ
ଦେଇଛନ୍ତି ତ ଦେଖାଇ ,
କେବେ ମୁଁ ନିସ୍ବଃ ନୁହଁଇ
ଏ ବିଶ୍ବବ୍ରହ୍ମାଣ୍ଡେ ମଣିଷ ଜନମ
ଧନ୍ୟ ହୋଇଅଛି ନେଇ ।।
ପିତା ମାତା ଭ୍ରାତା ଭଗିନୀ ଦୁହିତା
ପତିପତ୍ନୀ ପୁତ୍ର ସାଥେ,
ସୁଖର ସଂସାର ସୁନ୍ଦର ନାବଟି
ବାହି ନିଏ ଏ ଜଗତେ,
ଅଚାନକ ଝଡ଼ କେତେ
ଦୋହଲାଇ ଦିଏ ପୁଣି ଡୁବିଯାଏ
ରହୁ ପତିପତ୍ନୀ ସାଥେ ।।
ସୁଖର ଚଉଡା ପକ୍କା ସଡ଼କରେ
ଚାଲିବାକୁ ଲାଗେ ସୁଖ,
କର୍ଦ୍ଦମାକ୍ତ ପୁଣି ଅଙ୍କାବଙ୍କା ପଥେ
ମାଡିଆସେ କାହୁଁ ଦୁଃଖ ,
କିଛି ମୂହୁର୍ତ୍ତ ବିରକ୍ତ
ତୁ ଥାଉ ମୋର ପାଖେ ପାଖେ ନିତି
ମୁଁ ଥାଏ ତୋର ନିକଟ ।।
ନିୟତିର ଖେଳ ଆମ ପାଇଁ କାଳ
ଏକା ଏକା ଜୀଇଁବାକୁ,
ବିଧିର ବିଧାନ ନ ହୁଏ ତ ଆନ
କହିବା ଆଉ କାହାକୁ,
ସଞ୍ଚିତ ଧନ ଯେତେକ
ନେଇଯାଏ ଖଣ୍ଟ ନ କରେ ମୁଁ ଆଣ୍ଟ
ବଳ ନାହିଁ ରୋକିବାକୁ ।।
ଚାଲୁଥିବା ରାସ୍ତା ଅପରିଚିତ ଯେ
ତୁ ଏକା ସାହାରା ମୋର,
ଭଙ୍ଗା କୁଡିଆରେ ଦଦରା ନାଆରେ
ମୁଁ ଏକା ମଙ୍ଗ ତୋହର ,
ଖେଳ ଅଟେ ବିଧାତାର
ତୋ ମୋ ବନ୍ଧନ ଏତେ ମଜବୁତ
ଆପଣାଠୁ ଆପଣାର ।।
ମାନ ଅଭିମାନ ରାଗ ରୁଷା ଭୂଷା
କେଉଁଠି ଉଭେଇ ଯାଏ,
ମୋ ହାତ ଧରିଣ ବାଟ କଢେଇଣ
ତୋ ସେବା ମୁଁ କରୁଥାଏ,
ସେହି ଅପନ୍ତରା ଘରେ
ଶେଷ ସମୟରେ ତୁ ଖୋଇଦେଉ
ମୁଁ ପାଣି ଦିଏ ତୋ ପାଟିରେ ।।
ମୁଁ ଚାଲିଗଲେ ତୁ କାନ୍ଦୁଥିବୁ
ଜାଣି ନ ପାରିବୁ କିଛି,
ତୁ ଚାଲିଗଲେ କାନ୍ଦୁଥାଏ ସତ
କରି ନ ପାରେ ମୁଁ କିଛି,
ଏକା ହୁଏ ଜଣେ ନିଶ୍ଚେ
ସେହି ସମୟଟି କେମିତି ବିତିବ
ବସି ଆଜିଠୁ ଭାବୁଛି ।।
ଜନମ ମରଣ କାହା ହାତେ ନାହିଁ
ଏକଥା ଅଟଇ ସତ,
କରମ ତ ଅଟେ ଆମରି ହାତରେ
କରିବା କର୍ମ ମହତ,
ପିତାମାତା ପ୍ରତି ପୁତ୍ର
କରିଲେ ପାଇବ ସେମିତିକା କର୍ମ
ନ ହେଲେ ତ ହରକତ ।।
ବୟସ ବଳର ଗର୍ବ ଅହଙ୍କାରେ
କାଳିଆକୁ ଦାରୁଭୂତ,
ଭାବଇ ମଣିଷ କରେ ହତାଦର
ସଭିଏଁ ମିଛ ଭକତ,
ଦେଖୁଛି କଳାସାଆନ୍ତ,
ଚକାଆଖି ଖୋଲି ବଡ଼ ଦେଉଳରେ
ଥାଇ ଚେତାଏ ଜଗତ ।।
ଦେଖୁଛି କଳାସାଆନ୍ତ।।