ନିସ୍ତେଜ୍ ହେବା ପରେ
ନିସ୍ତେଜ୍ ହେବା ପରେ
ଲହଡ଼ିଟି ଭାଙ୍ଗି ନିସ୍ତେଜ୍ ହେବା ପରେ
ବାହୁ ବନ୍ଧନରେ ତୁମର ବନ୍ଦୀ ଥାଇ ସେ
ନିଜକୁ ପଚାରିଲା ,କିଏ ଏ ଅନନ୍ତ ସାଗର
କାହାର ଏ ବିସ୍ତୀର୍ଣ୍ଣ ନିର୍ଜନ ବେଳାଭୂମି
ନିଃଶ୍ବାସ ପ୍ରଶ୍ୱାସର ସରୁ ବାଟ ଦେଇ
ଯେମିତି ଅଶୁଣା ଅବ୍ୟକ୍ତ ତରଙ୍ଗଟିଏ
ଅନ୍ତର ତାରକୁ ତା'ର ସ୍ପର୍ଶ କଲା
ଏଇଟା କି ସେ ଅନାହତ ନାଦ
ନାଁ ଦୁହିଁଙ୍କ ନିର୍ମିତ ତୁଚ୍ଛ ବାଲିଘରଟିଏ ।
ତୁମେ ବି ତ ଠିକ୍ ଏହି
ଅସରନ୍ତି ଅଶାନ୍ତ ଜଳରାଶି ପରି
ହୃଦୟ ବି ତୁମର ଠିକ୍ ଏହି
ବିଶାଳ ନିଃସଙ୍ଗ ତଟଦେଶ ଭଳି
ସେ ତ ତୁମ ଦେହେ ଉଠୁଥିବା
କ୍ଷୀଣ କ୍ଷୁଦ୍ର ଢେଉଟିଏ ମାତ୍ର
ତୁମରି କୂଳରେ ନିଜକୁ ସମର୍ପି ଦେଇ
ତୁମରି କୋଳରେ କ୍ଷଣକେ ବିଶ୍ରାମ ପାଇ
ତୁମରି ଗର୍ଭରେ ପୁନଃ ଲୀନ , ଜନ୍ମ ନେବା
ତା ଜୀବନ ଯାତ୍ରା ସହ ଏକମାତ୍ର ଗନ୍ତବ୍ୟ ।
ନାଁ ତୁମ ଠାରୁ ମୁକ୍ତି ଅଛି
ନାଁ ତୁମକୁ ପାଇବାର ଅଛି
ସମସ୍ତ ସ୍ୱପ୍ନ କାମନା ଉଦ୍ଵେଗ ବ୍ୟର୍ଥତା
ଲୋଭ ଇର୍ଷା ସୁଖ ଦୁଃଖ ଲାଭ ହାନୀ
ସବୁ ରୂପ ରଙ୍ଗ ଭାବ ତୁମରି ସୃଷ୍ଟ
ତା ପୂର୍ଣ୍ଣତାର ଅନ୍ୱେଷଣ ତା'ର ନୁହେଁ
ସେ କିଛି ନୁହେଁ କି କେବେ କିଛି ନଥିଲା ।