ନିଶା
ନିଶା
ଚାହା ପାନ ବିଡ଼ି ଅଫିମ ଗଞ୍ଜେଇ
ମଦ ଜୁଆ ନାରୀ ନିଶା
ମହା ଭୟଙ୍କର ଜାଣି ସୁଦ୍ଧା ନର
କରିଥାଏ ତାକୁ ପେଶା।
ବୁଝି ପାରେ ନାହିଁ ବାର ବାର ହୁଏ
କେତେ ପୁଣି ଲୋକହସା
ରୋଗ ଡାକିଆଣେ ତଥାପି ଛାଡେନି
ନିଶାକୁ କରେ ଭରସା।
ନିଶାଗ୍ରସ୍ତ ନର ଭୁଲିଯାଏ ଘର
ପିଲା ଛୁଆ ପରିବାର
ନିମ୍ନଗାମୀ ହେବା ସାର ହୋଇଥାଏ
ମୃତ୍ୟୁକୁ କରେ ନିଜର।
ବୁଝିଲା ବେଳକୁ କିଛି ତ ନ ଥାଏ
କପାଳେ ପିଟଇ କର
ଔଷଧ ପାଇଁକି ପଇସା ନଥାଏ
ଭିକାରୀ ସାଜଇ ନର।
ଆଧୁନିକା ନାରୀ କୌଣସି ଗୁଣରେ
କମ୍ ବୋଲି କହି ନୁହେଁ
ରାତି ଅଧଟାରେ ମଦ୍ୟାଶକ୍ତ ହୋଇ
ଫେରିବା ସଭ୍ୟତା କହେ।
ପାଠ ସାଠ ପଢ଼ି ଅବୁଝା ହୋଇଲେ
ବୁଝାଇବ ତାକୁ କିଏ
ମୂରୁଖ ଜନଠୁ ହୀନ ବୋଲି ଗଣା
ସଂସାରରେ ଅଟେ ସିଏ।
ତେଣୁ କରେ ଦାସ ନିବେଦନ ବାବୁ
ମୂରୁଖ ତୁମେ ନ ହୁଅ
ନିଶାଠାରୁ ଦୂରେ ରହିବାକୁ ତୁମେ
ଅନ୍ୟକୁ ବୁଝାଉ ଥାଅ।
ମିଳିମିଶି ଆମେ ନିଶା ନିବାରଣ
କରିବାକୁ ଆଗୁସାର
ହୋଇଲେ ଦେଖିବ ସମାଜରୁ ନିଶା
ଚାଲିଯିବ ବହୁ ଦୂର।
ଅଭାବ ନ ଥିବ ଶାନ୍ତିରେ ବଞ୍ଚିବ
ପରିବାର ସୁସ୍ଥ ହେବ
ପିଲାଛୁଆ ଆମ ସୁଶିକ୍ଷା ପାଇବେ
ହିଂସା ଦ୍ୱେଷ ଦୂରେଇବ।
ପରସ୍ପର ସ୍ନେହ ଶ୍ରଦ୍ଧା ବି ବଢିବ
ରାମ ରାଜ୍ୟ ପାଲଟିବ
ଓଡ଼ିଶା ଆମର ବିଖ୍ୟାତ ହୋଇବ
ବଢିବ ହୃତ ଗୌରବ।