ନିରୀହ ସାହାସ ଲୋଡ଼ା
ନିରୀହ ସାହାସ ଲୋଡ଼ା
ଚିନ୍ତାର ଫାଶରୁ ଭଉଁରୀରୁ କେମିତି ମୁକୁଳିବ
ଅହରହ ଏଇ କଥାକୁ ନେଇ ଚିନ୍ତିତ
କିଏ ସେ ଯେ ନିଜ ଚିନ୍ତା ପାଇଁ ଚିନ୍ତିତ ?
କିଏ ସେ ଯେ ନିଜ ଠୁଁ ମୁକ୍ତି ପାଇବାକୁ ବ୍ୟଗ୍ର ?
କିଏ ସେ ଯେ ଜାଣିଲା କି ସେ ଚିନ୍ତିତ ବ୍ଯଗ୍ର ?
ଏ ପ୍ରଶ୍ନ ସବୁ କାହାର ?
କିଏ କାହାକୁ ପଚାରୁଛି ?
ଜବାବ୍ କିଏ ଦେବ ?
ଜବାବ୍ କିଏ ମାଗୁଛି ?
ନିରନ୍ତର ପ୍ରଶ୍ନ ଉତ୍ତର କ'ଣ ଉଠାଇ ପାରିବ
ଅଗଣିତ ଭ୍ରାନ୍ତିର ଅଦୃଶ୍ୟ ପରଦା ସବୁକୁ ?
ଦୂରେଇ ପାରିବ ଅସ୍ପଷ୍ଟତାର ଘନ କୁହୁଡ଼ିକୁ ?
ସ୍ୱଚ୍ଛ କରି ପାରିବ ଅସ୍ଥିର ଅସ୍ୱଚ୍ଛ ପାଣିକୁ ?
ଅଟକାଇ ପାରିବ ଚିନ୍ତାର ଲହଡ଼ି ପରେ ଲହଡ଼ିକୁ ?
ଗଭୀର ନିରବତା ମଧ୍ୟେ ଓଠର ଗୋଟିଏ କୋଣରେ
ଆପେ ଆପେ ଯେଉଁ କାଣିଚାଏ ହସ ଉଦୟ ହୁଏ
ସେଇଟା ହିଁ ତ ତା' କୋଠଘରର ଚାବିକାଠି
ପ୍ରଶ୍ନ ଉତ୍ତରର ନୁହେଁ ବରଂ ଅଗଣିତ ପ୍ରଶ୍ନର ଜନନୀ
ଅସମାହିତ ପ୍ରଶ୍ନ ଉତ୍ତର ମଧ୍ୟରେ ଚାଲିଥିବା
ଏ ମହାଯୁଦ୍ଧ ନଥମିବା ଯାଏଁ
ତା' ଗୁପ୍ତ ରହସ୍ୟର ପେଡ଼ି ଖୋଲିବନି
ଏ ମନଟି ଦେହର ଆଉ ଦେହରେ ହିଁ ସିମୀତ
ତା ବିନା
ଆଉ କିଛି ନଦିଶିବାକୁ
ସେ କାଚ କେନ୍ଦୁ ପାଣିକୁ ଗୋଳିଆ ରଖେ
ଦୂର ଦିଗନ୍ତର ଦୃଶ୍ୟ ଦେଖା ନଯିବାକୁ
ଘନ ବହଳିଆ କୁହୁଡ଼ିର ଭ୍ରମ ସୃଷ୍ଟି କରେ
ସେ ଜାଣେ ପାଣି ସ୍ୱଚ୍ଛ ଦିଶିଲେ
ଦୂରଦିଗନ୍ତର ଦୃଶ୍ୟ ସ୍ପଷ୍ଟ ଦିଶିଲେ
ସେ ଛାଣି ହୋଇଯିବ ସାତ ତଳକୁ
ମିଳାଇ ଯିବ କୁହୁଡ଼ି ସହ ବସିଯିବ ପଙ୍କ ହୋଇ
ଯିଏ ଯେଉଁ ଠୁଁ ଆସିଛି ସେଇଠିକି ଫେରିଯିବ
ବୁଦ୍ଧିର ପିରାମିଡ୍ ତୋଳି ଯେତେ କୌଶଳ କରି
ଚିରଞ୍ଜିବୀ ହେବାକୁ ଦେହକୁ ସଞ୍ଚିଲେ ବି
ବହି ଯାଇଥିବା ସ୍ରୋତ ଆଉ ପଛକୁ ଫେରିବନି
କି ଛାଡ଼ି ଯାଇଥିବା କୂଳକୁ
କେହି ବି ଥରେ ମୁହଁ ଫେରାଇ ଚାହିଁବେନି
ଛଳନାର ସବୁ ଅଟ୍ଟାଳିକା ଭୁଷୁଡି ପଡ଼ିଲେ ଯାଇଁ
ଅବରୋଧିତ ଦୂର ଦିଗନ୍ତର ଦୃଶ୍ୟ ସ୍ପଷ୍ଟ ଦିଶିବ
ତାକୁ ସାମ୍ନା କରିବାକୁ ନିରୀହ ସାହାସ ଲୋଡ଼ା
ସେ ଆସିବା କ୍ଷଣି ପାଣି ଫୋଟକା ପରି
ଆଖି ପିଛୁଳାକେ ମିଳେଇ ଯିବେ ସବୁ
ତାହା ସହ ପ୍ରତିଫଳିତ ଦୃଶ୍ୟର ମୋହ ବି
ନିର୍ବୋଧ ଲାଗୁଥିବା ଦୁଃଖର ମୂଳରୁ ଜାବୁଡ଼ା ମାଟି
ଧୋଇନେଇ ଅସହାୟ କରିଦେବ
ସେହି ନିରବ ଧିର ଗୁପ୍ତ ଅଦୃଶ୍ୟ ପ୍ରଳୟକୁ
ସାମ୍ନା କରିବାକୁ ପ୍ରସ୍ତୁତ ତ ?