ନିରାଶ୍ରୟ
ନିରାଶ୍ରୟ
ନିରାଶ୍ରୟ ଅସହାୟ ଅସଜଡା ଜୀବନ
ଆଖିରେ ନଥାଏ ତାଙ୍କ କାଲି ପାଇଁ ସପନ ।
ରୂପ ଭେକ କହେ ତାଙ୍କ ପରିଚୟ କାହାଣୀ
ସମୟର ହତାଦର ଅଣଦେଖା ଚାହାଣି ।
ସହରର ରାସ୍ତାକଡ ବସଷ୍ଟାଣ୍ଡ ଷ୍ଟେସନ
ଛଅଋତୁ ବାରମାସ ସେଇ ତାଙ୍କ ଆସ୍ଥାନ ।
ଖରା ହେଉ ବର୍ଷା ହେଉ ହେଉ ଶୀତ କାକର
ସେଥିକି ନଥାଏ ତାଙ୍କ ତିଳେହେଲେ ଖାତର ।
ଶୋଇବାକୁ ଯାଗା ଟିକେ ମିଳିଗଲେ ରାତିରେ
ସେଇ ତାଙ୍କ ସ୍ବର୍ଗସୁଖ ସେଇ ତାଙ୍କ ଶାନ୍ତିରେ ।
ପେଟ ପାଇଁ ପର ପାଖେ ନିତି ହାତ ପାତନ୍ତି
କିଏ ଦିଏ ଟଙ୍କାଟିଏ କିଏ ଗାଳି ଦିଅନ୍ତି ।
ପେଟ ପାଇଁ ବେଳେବେଳେ
ଚୋରି ବି ସେ କରନ୍ତି
ଧରାପଡିଗଲେ ମାଡ ହାଜତରେ ପଶନ୍ତି ।
ମନ ତାଙ୍କ ମରୁଭୂମି ଜୀଇଁବାର ଲାଳସା
ନିରାଶ୍ରୟ ପରାଶ୍ରୟ ମହାପ୍ରଭୁ ଭରସା ।