ନିଜ ଇତିହାସ
ନିଜ ଇତିହାସ
ଲେଖିବି ବୋଲି ମୁଁ ନିଜ ଇତିହାସ
ରକତରେ ଦେଲି ସ୍ୟାହି
ମୋ ଲେଖା ବିଷୟ ହେଲା ଅସହାୟ
ରାତି ଦିନ ଗଲା ପାହି ।
ଉଠୁଥିଲା ମୋର କୋହ ପରେ କୋହ
ଲେଖିବାକୁ ହୃଦ ଭାବ
ଲେଖିଦେଲେ ଅବା ନିଜ ଇତିହାସ
ପୁରିଯିବ ମନ ସ୍ଵାଦ ।
ଦୁଃଖ ଯିବ ବୋଲି ଲେଖିଦେଲେ ନିଜ
ବିଷାଦକୁ କଥା କରି
ଲୁହେ ଭିଜୁଥାଏ ପିନ୍ଧା ବାସ ମୋର
ଯାଉଥାଏ ଦେହ ଶିରୀ ।
ହେଉଥାଏ ଯେତେ ହାବୁକା ହାବୁକା
ବଂଚିବାର ଯାଏ ଆଶା
ଜୀବନ ଦୌଡରେ ହାରିଗଲି ମୁହିଁ
ଜହ୍ନ ସମ ପାଇ ଯୋଷା ।
ସଜଡା ସଂସ୍କାର ଉଜୁଡିଲା ମୋର
ଚାଲିଗଲା ଜିଜୀବିଷା
ପାଇବାର ପୁଷ୍ଟି ହେଲା ନାହିଁ ମୋର
ଦେଇଗଲା ଅମାନୁଷା ।
ଅମଡା ବାଟରେ ଚାଲେନାହିଁ ପାଦ
ମନ ବଳେ ମନ ବାସ
ହାଲୁକା ଫୁଲୁକା ହେଇ କି ପାରିବି
ଦୁଃଖ ଯାର ଦୈତ୍ୟ ଗ୍ରାସ ।
ଯାତନାରେ ଦିନ ବଢିବଢି ଯାଏ
କାଳ ବଶେ ହୁଏ ବଶ
ଜଳକା ପରି ମୁଁ ରହିଛି ଅନାଇ
ଦେବା ପାଇଁ ଶେଷ ଶ୍ଵାସ ।
ପ୍ରଶାନ୍ତ କୁମାର ହୋତା