ନଈଟିଏ ପରି
ନଈଟିଏ ପରି
ନ ଚାହିଁଲେ ବି ମୁଁ ବହେ ନଈଟିଏ ପରି
କ୍ଷଣିଏ ବିଶ୍ରାମ ନ ନେଇ,
କାରଣ ମୋ ଚାହିଁବା କି ନ ଚାହିଁବା
ବନ୍ଧା ପଡ଼ିଛି ତଥାକଥିତ ମୋ ବହିବାର ଧର୍ମ ପାଖରେ
ହଁ ହଁ ମୁଁ ଟିକେ ଅଟକି ଯିବାକୁ ଚାହେଁ
ଘଡ଼ିଏ ଘୁମେଇବା ପାଇଁ।
ତୁମେ କେଉଁଠି ଦେଇଛ କି ମୋତେ ଅଟକି ଯିବାକୁ
ମୋ ପଛରେ ତ ସବୁବେଳେ
ନିୟତିର ନିଷ୍ଠୁର ଚାବୁକ,
ମୁଁ ବା କିପରି ବାହାରି ଆସନ୍ତି
ତୁମ ହାତଗଢ଼ା କାନୁନ ଭିତରୁ
ବିଫଳ ହୋଇଛି ସଦା
ଭାଙ୍ଗିବାକୁ ତୁମର ଏ ସ୍ବାକ୍ଷରିତ ଦୃଢ଼ ନିୟାମକ।
କେଉଁ ଦୂର ଦିଗନ୍ତ ସେପାଖେ
ଅଛି କି ନା ସିନ୍ଧୁଟିଏ ସେକଥା ଜାଣେନା
ତଥାପି ମୁଁ ବହିଚାଲେ ଡେଇଁ ଖାଲଖମା
ଭେଟ ହେବ କି ତା ସାଥେ ମୁଁ ତାହା ବି ଜାଣେନା
ଅଚିହ୍ନା ଓ ଅଜଣା ଏକ ଭବିଷ୍ୟ ପଛରେ
ମୁଁ ଧାଇଁ ଚାଲେ ପାଦ ନ ଥକାଇ
ମୋ ଖିଆଲି ଇଚ୍ଛା ସବୁ ଦଣ୍ଡେ ଜିଇଁ ପାରେନା।
ଯଦି ମୁଁ ଅଟକିଯାଏ ଜାଣେ କିଛି ଘଟିବ
କାଳେ କାହା ଘର ବୁଡ଼ି ମୋ ଜଳରେ ଭାସିବ,
କର୍ମ ସୂତ୍ରେ ବନ୍ଧା ମୋର ପ୍ରତି ସ୍ରୋତ ଧାରା
କାଳେ ମୋର ପରିଚୟେ କଳଙ୍କ ଲାଗିବ,
ସେଥିପାଇଁ ବହିଚାଲେ ଦେଖି ଚାହିଁ ମୋ ଗନ୍ତବ୍ୟ ପଥ
ମୋ ଜଳରେ ତୃପ୍ତ ହୋନ୍ତୁ ସର୍ବେ
ଦୁଃଖ ନାହିଁ ନହେଉ ପଛକେ
ମୋ ଚିର ଶ୍ରମ ଲାଘବ।
କାହିଁ କେଉଁ ସମତଳ ଶଯ୍ୟା ମୋତେ
ଦେଇଛ କି କେବେ ସଳଖ ହେବାକୁ !
ମୋ ଭାଗ୍ୟରେ ତ ସଦା ଲେଖା
ମାଟି ଗୋଡ଼ି ପଥରର ଉଠା ପକା ତିର୍ଯ୍ୟକ ଚଟାଣ
ତୁମେ ଯେବେ ଚାହିଁ ନାହଁ କେବେ
ମୁଁ ବା କାହିଁ କରିବି ସାହସ
ନିୟତି କୁ ଆହ୍ୱାନ ଦେବାକୁ !
ଶୁଣିଛି ମୁଁ ଅନ୍ତକାଳେ ମୋ ପରିଚୟ ହଜିବ
ମଧୁର ମୋ ଆତ୍ମା କେଉଁ ଲବଣରେ ମିଶିବ,
କାହିଁକି ବା ଧରି ରଖିବି ମୁଁ ଅଭିମାନ କୁହ
ମୋ ନଦୀତ୍ୱର ତୁଚ୍ଛା ସ୍ୱାଭିମାନେ
ଆଜିର ମୋ ସ୍ଥିତି ଯଦି କାଲି ଗର୍ଭେ ହଜିବ,
ବହୁଛି ମୁଁ ବହୁଥିବି ନିରନ୍ତର ଏମିତି
ଧର୍ମ ମୋର କର୍ମ ଏକା ଏହି କୀର୍ତ୍ତି ରହିବ।