ନୀରିମାଖି କନ୍ୟା
ନୀରିମାଖି କନ୍ୟା
ମୁଁ ନୀରିମାଖି ଅତି ଦୀନଦୁଃଖୀ
କନ୍ୟାଟିଏ ସଂସାରରେ,
ବାପା-ମା"ଛେଉଣ୍ଡ ଦୁନିଆଁ ଦାଣ୍ଡରେ
ଈଶ୍ୱରଙ୍କୁ ଆଶ୍ରା କରେ |
ମା"ମୋର ଆଗେ ଛାଡିଗଲେ ମୋତେ
ପଛେପଛେ ପିତା ମୋର,
ଛୋଟ ଭାଇ ମୋର କୋଳେ ଟେକିଦେଇ
ଚାଲିଗଲେ ବହୁଦୂର |
ଆଉ କିଏ ଅଛି ସାହାରା ମୋହର
ମୋ ଭାଇ ମୋର ନିଜର,
ମୁଁ ତାର ବାପା ମୁଁ ତାର ମାଆ
ମୁଁ ତାର ପରିବାର |
କୁନି ହାତେ ମୋର ମୋ ଭାଇ ଭବିଷ୍ୟ
ଆଶା ଅସୁମାରୀ ମୋର,
ମୋ ଦୁଃଖ ଦେଖିଲେ ଗଛର ପତ୍ର ବି
ଝରାଇବେ ଲୁହ ଧାର |
କେଉଁ ଜନମର କର୍ମଫଳ ପାଇଁ
ଏ ଜନ୍ମରେ ଦୁଃଖୀ ହେଲି,
ସର୍ବସ୍ୱ ହରାଇ ଜୀବନ ପଥରେ
ଅନାଥ ଆଖ୍ୟା ପାଇଲି |
ପିତାମାତା ଆଶିଷରୁ ଉଣାକଲ
ସ୍ନେହ ମମତାରୁ ଦୂର,
ମୋ ପରେ ଟିକିଏ ଦୟା ନରଖିଲ
କେମିତି ତୁମେ ଈଶ୍ୱର |
ଏତେ ବଡ଼ ଏଇ ଦୁନିଆଁ ବୁକୁରେ
କେହି ନାହିଁ ସାହା ମୋର,
ଅଜଣା ବାଟରେ ପଥ ହୁଡ଼ିଗଲେ
ଧରିନେବ ହାତ ମୋର |
ତୁମ ଚରଣରେ ମାଗୁଛି ଆଶରା
କରିବନି ବେସାହାରା,
ବରଦ ହସ୍ତ ମୋ ମଥାରେ ରଖିବ
ଯାଚିଦେବ ସ୍ନେହଧାରା |