ନିଆରା ତା' ସଞ୍ଜ
ନିଆରା ତା' ସଞ୍ଜ
ନିଆରା ତା' ସଞ୍ଜ ନିଆରା ସକାଳ
ନିଆରା ତା' ରାତି ପୁଣି ପାହାନ୍ତି ପ୍ରହର
ନିଆରା ସେ ମାଟି ଗିରି ତରୁବନ
ଦେଖିଯିବା ଲାଗି ଘାରି ହୁଏ ମନ।
ନଇଁ ଆସେ ସନ୍ଧ୍ୟା ଏଠି ସୂର୍ଯ୍ୟ ଅସ୍ତ ଗଲେ
ଗୋଧୂଳି ଲଗନେ ଧୂଳି ଉଡିଚାଲେ
ପରିଚିତ ସକାଳର କଅଁଳ ଖରା
ନିଆରା ତା' ପୁନେଇଁ ପରବ ପସରା।
ସାଇତା ମୁକ୍ତାର ଗନ୍ତାଘର ସେ ଯେ
ପଦ୍ମ ପାଖୁଡ଼ାର ଶୋଭାରେ ଚମକେ
ଘଣ୍ଟ ଆଳତିର ଲହରୀ ମେଳରେ
ସୂରୁଜ ବୁଡି ବୁଡ଼ି ଯାଏ।
ଦିଗନ୍ତ ବିସ୍ତାରି ଅନ୍ଧାର ଆସଇ
ଶାନ୍ତ ପରିବେଶ ନିର୍ଜନ ଦିଶଇ
ଆଲୋକମାଳା ବି କି ସୁନ୍ଦର ଲାଗେ ?
ଜହ୍ନଜ୍ଯୋସ୍ନାରେ ଆଲୋକ ଭରେ ।
ନିଆରା ତା' ଭୂମି ନିଆରା ଆକାଶ
ନିଆରା ଠୁ ନିଆରା ଆତ୍ମୀୟ ସୋଦର
ନିଆରା ପବନ ନିଆରା ତା' ପାଣି
ଜନ୍ମ ଦେଇ ଦେହେ ଭରିଛି ଚାହାଣୀ।
ନିଆରା ମୋ ଗାଁ ନିଆରା ତା' ନାଁ
ନିଆରା ପରମ୍ପରା ଚଳଣି
ଆସେ ସନ୍ଧ୍ୟାରାଣୀ କଜ୍ଜଳ ଓଢଣୀ ଟାଣି
ଆଲୋକ ନିଏ ବିଦାୟ ତା' ମନ ଜାଣି।