ନବବର୍ଷର ସଂଦେଶ
ନବବର୍ଷର ସଂଦେଶ
ନବବର୍ଷର ସଂଦେଶ
ଦୂର ହୁଅ ମୋତେ ଏକାନ୍ତରେ ଛାଡି
ଆଂକିବାକୁ ଅଛି ରଙ୍ଗଚିତ୍ର ମୋ କବିତାର
କବି ମୁଁ ମାଟି ଓ ଆକାଶର
ଖାପଛଡା ଅଶ୍ରୁ ଆଉ ପ୍ରେମକୁ ସଜାଇ
ସାଧିବାକୁ ହେବ ଦ୍ଵାରକିଳି ତନ୍ତ୍ରର ସାଧନା
ସ୍ଵପ୍ନର ଏକ ପୃଥିବୀଟେ ପାଇଁ ।
ଏ ବର୍ଷର ଯେତେ ଉଠାଣିଗଡାଣି
ଏଯାବତ ଭରିନାହିଁ ଦୁଃଖର ସଡକେ
ଅଭିଆଡୀ ଝିଅ ଘରେ ବସିଅଛି
ଆଣ୍ଠେଇପଡିଛି ଚାଷୀ ଧାନଗଛ ମୂଳେ
ପାରୁଛ ଯଦି ହାତ ବଢ଼ାଇଦିଅ ଅଭାଗାକୁ
ଧୂଳି କରିବାକୁ ହେବ ପାହାଡ଼କୁ ଭାଂଗି ।
ପାରୁଛ ଯଦି ସଂକଳ୍ପ କରି
ଦେଶସାରା କହି ଆସ ଶାନ୍ତିର ବାରତା
ଲୁଟିବେନି କେହି ପର ଦାରାଧନ ସୁତା
ଏକାଠି ହୋଇ ସଙ୍କଟେ ସମରେ
ଅକ୍ଷୂର୍ଣ୍ଣ ରଖିବେ ଆମ ଦେଶମାତୃକା ମାନ
ଢାଳିଦେବି ତମ ଶିରେ ଶୁଭାଶିଷ
ନବପ୍ରଭାତର ଲୋହିତ ଅଭିନନ୍ଦନ ।
ଅନ୍ୟଥା କି ଲାଭ ବର୍ଷ ପରେ ବର୍ଷ
ପାଳିବାରେ ଉତ୍ସବ ନବବରଷର,
ନୃଶଂସ ଆଚରଣେ ନକର ହେ ଜୀବହତ୍ୟା
ଏଇ ମୋ ଭାରତ ନୁହେଁ ପାଶ୍ଚାତ୍ୟ ସଭ୍ୟତା ।
ନିତାନ୍ତ ଯଦି ତୁମେ ବନ୍ୟ ହିଂସ୍ର ପଶୁ
ନିଅ, ଯିଏ ଯେତେ ପାର
ମୋ ଦେହର ମେଦ, ରକ୍ତ, ମାଂସ
ବାଣ୍ଟିକୁଣ୍ଟି ନିଅ ମୋର ଅବଶିଷ୍ଟ ଆୟୁଷ
ପାଳି ନିଅ ରକ୍ତମୁଖା ନୂତନ ବରଷ ।