ନାରୀ
ନାରୀ
ଅଇରୀ ଯାହାର
ନାହିଁ ଏ ଜଗତେ
ନାରୀ ବୋଲି ଅଭିହିତା
ସୃଷ୍ଟି ସରଞ୍ଚନେ
ଜାତିର ରକ୍ଷଣେ
ଶକ୍ତିମୟୀ ସେ ସମ୍ଭୁତା ।
ତ୍ରିବେଣୀ ସଙ୍ଗମ
ସ୍ୱରୂପ ଯାହାର
ଜନନୀ ଭଗିନୀ ଜାୟା
ମମତାର ଝର
ସମ୍ପର୍କର ଧାର
କରୁଣାର ଘନ କାୟା ।
ପ୍ରେମର କୋଣାର୍କ
ତ୍ୟାଗର ପ୍ରତୀକ
ମମତାର ବାରଣାସୀ
କ୍ଷମଶୀଳା ହୋଇ
ଜଗତ ଗଢ଼ଇ
ସଂକଟେ ସଦା ସେ ଖୁସି ।
ସ୍ୱମତ ବାଢ଼ିଣ
ସମ୍ମାନ ଦିଏ ସେ
ହୀନ ନଭାବିଣ କାରେ
ସର୍ଵଂସହା ହୋଇ
ସଂସାର ବେଭାରେ
ଜୀବନ ଧରମ ପାଳେ ।
ଅସୁର ବିଧ୍ୱଂସୀ
ପାପକୁ ବିନାଶେ
ଧରି ଜ୍ବାଳାମୟୀ ରୂପ
ଶାନ୍ତିର ଦୂତ
ଦୁଃଖ ଅପ୍ରମିତ
ନାଶେ ସେ ଦୁରାତ୍ମା କୋପ ।
ସବୁ ଦୁଃଖ କଷ୍ଟ
ବାନ୍ଧିଦିଏ ନାରୀ
ପଣତ କାନିରେ ତାର
ନୀଳକଣ୍ଠ ହୋଇ
ସଂସାର ଗରଳ
ପିଇଥାଏ ବାର ବାର ।
ଅବଳା ଦୁର୍ବଳା
ନିଷ୍ପେସିତା ନୁହେଁ
ସକଳ ଶକ୍ତି ଆଧାର
ଆହ୍ୱାନର ବୀଣା
ବଜାଇ ଦେଇଣ
ସମାଜେ ଆଣେ ସୁଧାର ।