ନାରୀ ମଧ୍ଯ ଜଣେ ମଣିଷ
ନାରୀ ମଧ୍ଯ ଜଣେ ମଣିଷ
ମଣିଷକୁ ଭୋକ ହୁଏ, ଶୋଷ ହୁଏ
ସମୟ ସହ ସେ ମାନ-ଅପମାନ, କ୍ରୋଧ ସବୁପାଏ,
ତା' ମନରେ ଭିନ୍ନଭିନ୍ନ ଭାବ ରହେ
ସ୍ନେହ, ଶ୍ରଦ୍ଧା, ପ୍ରେମ, ଘୃଣା ଓ
ରାଗ, ଅନୁରାଗ, ସ୍ୱାଭିମାନ, ଅଭିମାନ ସବୁଥାଏ,
ପୁରୁଷ ଜଣେ ମଣିଷ
ଅତଏବ ପୁରୁଷ ମଧ୍ଯରେ ଏ ସବୁଥାଏ,
ତେବେ ସମାଜ କେମିତି, କାହିଁକି ଭୁଲେ
ନାରୀ ମଧ୍ଯ ଜଣେ ମଣିଷ
ତା'ର ମଧ୍ଯ ମନ ଅଛି, ଇଚ୍ଛା ଅଛି
ଭାବ ଅଛି ମାନ ସମ୍ମାନ ସବୁ ଅଛି।
ମଣିଷଟିଏ ସେବା ଖୋଜେ ସାହାଯ୍ୟ ଖୋଜେ
ମନରେ ଥାଏ ଭିନ୍ନଭିନ୍ନ ସ୍ୱପ୍ନ ଓ ଆଶା
କେତେ କେତେ ଆକାଂକ୍ଷାରେ ବଞ୍ଚିରହେ
ପୁରୁଷ ଜଣେ ମଣିଷ
ଅତଏବ ପୁରୁଷ ମଧ୍ଯରେ ଏ ସବୁଥାଏ।
ତେବେ ସମାଜ କେମିତି ଉପେକ୍ଷା କରେ ନାରୀକୁ
କାହିଁକି ଦୂରେଇ ଦିଏ ମୂଖ୍ଯସ୍ରୋତରୁ
ନାରୀ ମଧ୍ଯ ଜଣେ ମଣିଷ
ତା'ର ବି ଅଛି କିଛି ଆଶା, ସପନ
ତା'ର ଇଚ୍ଛା ସୁଖରେ ବଞ୍ଚିବ ସେ ଜୀବନ।
ମଣିଷକୁ ଭଲଲାଗେ ସ୍ୱାଧୀନତା
କଷ୍ଟ ଦିଏ ପରାଧୀନତାର ଶିକୁଳିରେ ଜୀବନ
ହସିବାକୁ ଇଚ୍ଛା ତାକୁ ପ୍ରଜାପତି ଧରିବାକୁ ଇଚ୍ଛା
ପାହାଡ଼, ପର୍ବତ, ନଦୀ ବୁଲି
ପ୍ରକୃତି ସହ ମିଠା କଥା ହେବାପାଇଁ ଇଚ୍ଛା,
ପୁରୁଷ ଜଣେ ମଣିଷ
ଅତଏବ ପୁରୁଷ ମନରେ ବି ଏହିସବୁ ଇଚ୍ଛା,
ତେବେ ସମାଜ କେମିତି କାହିଁକି ଯାଏ ଭୁଲି
ନାରୀ ମଧ୍ଯ ଜଣେ ମଣିଷ
ସେ କାହିଁକି ବାଧ୍ଯ, ପରିବାରରେ ରହି
ବୁଝିବ ପିଲା ଛୁଆ ସଂସାର ,ରୋଷେଇ ଓ ଚୁଲି
ତା'ର ବି ଅଛି ଅସୀମ ଶକ୍ତି
ତାକୁ ବି ଲୋଡ଼ା ଅଧିକାର, କର୍ତ୍ତବ୍ୟରେ
କର୍ମରେ ଯଥେଷ୍ଟ ସମ୍ମାନ ଓ ସ୍ୱତନ୍ତ୍ରତା।