ମୁଁ ଯେ ମୁଁ ନୁହେଁ
ମୁଁ ଯେ ମୁଁ ନୁହେଁ


ହୃଦଘାତକ ଝଡଝାଞ୍ଜିରେ ଅକ୍ଳେଶେ ,
ଦଣ୍ଡାୟମାନ ହବାର ଆତ୍ମବିଶ୍ବାସ,
ଅକାତ ସାଗର ଅବିରତେ,
ଲଙ୍ଘିଯିବାର ସତସାହସ,
ରୁକ୍ଷ ମଧ୍ୟାହ୍ନ ସୂରୁଜକୁ ,
ତୀକ୍ଷଣ ଚାହାଣୀ ରେ ଆଡେଇ ଯିବାର ଦମ୍ଭ,
ପୁଣି ସେ ଅବିଶ୍ରାନ୍ତ ଶ୍ରାବଣକୁ,
ନିଜ ଭିତରେ ସାଇତିବାର ଆବେଗ,
ସବୁ ମଳିନ ପଡ଼ିଛି,
ଗୋଧୂଳି ସାଜି ଅସ୍ତିତ୍ବ ହୀନେ ଘୂରି ବୁଲୁଛି।
ଜୀବନ ଯେ ମୋର କୋଉ ପୁରାତନ,
ଦରଭଙ୍ଗା ଦଦରା ହାଣ୍ଡି ବା ମାଠିଆ ,
ଯାହାକୁ ଯେତେ ସଜାଡିବାକୁ ଯାଏ,
ସେତେ ଚଡକା ନବ ଝଙ୍କାର ପାଏ,
ମାଟି ବା କଂକ୍ରିଟ ଆବରଣେ ,
ସର୍ବସ୍ବ ଘୋଡେଇ ନବାକୁ,
ଶତ ଚେଷ୍ଟା କରି ହାରିଗଲି,
ହାରି ନାହିଁ ବରଂ ହରେଇଛି,
ଜିଇଁ ବାର ଉତ୍ସାହ ,ଆନନ୍ଦର ସ୍ପର୍ଶ,
ଆକାଂକ୍ଷା ର ପ୍ରତିଧ୍ଵନି,
ଦୁର୍ଭାଗ୍ୟର ବାରମ୍ବାର ପ୍ରତିଘାତରେ ,
କ୍ଷତ ବିକ୍ଷତ ହେଇ ନରମି ଯାଇଛି ,
ହୃଦୟର ଆହ୍ୱାନ ।
ତଥାପି ବଞ୍ଚିଛି,
ନା' ନିଜକୁ ବଞ୍ଚେଇ ରଖିଛି,
କେବଳ ତୁମରି ପାଇଁ,
ତୁମ ଝାଉଁଳି ଯାଇଥିବା ଶାନ୍ତ ସ୍ଥିର ମନେ,
ଚେନାଏ ହସର ଲହଡ଼ି ଖେଳାଇବା ପାଇଁ,
ମୋ ଉପରେ ଅବସ୍ଥାପିତ ଅଗାଢ ବିଶ୍ୱାସକୁ,
ସଯତ୍ନେ ସାଇତିବା ପାଇଁ,
ତୁମ ଅନ୍ତରେ ଅଙ୍କୁରିତ , ଶ୍ୱାସରତ ,
କେତୋଟି ଆଜୀବନ ଅଲିଭା ସ୍ୱପ୍ନକୁ ,
ରଙ୍ଗତୂଳୀରେ ଆଙ୍କିବା ପାଇଁ,
କାହିଁକି ନା ଆଜି ,
ମୁଁ ଯେ ମୁଁ ନୁହେଁ,
କେବଳ ତୁମେ ଆଉ ତୁମେ ।