ମୁଁ ଶିଳ୍ପୀ
ମୁଁ ଶିଳ୍ପୀ
ମନର କଳ୍ପନା କରର ସ୍ପର୍ଶରେ
ମୃତ୍ତିକାରେ ମୂର୍ତ୍ତି ଗଢି,
ଅକ୍ଲାନ୍ତ ଶ୍ରମରେ ଆନନ୍ଦ ମନରେ
ତୁଳୀରେ ରଙ୍ଗକୁ ଭରି।।
ବାଲ୍ୟ ଅବସ୍ଥାରୁ ପିତା ଶିଖାଇଲେ
ପୋଷିବାକୁ ପେଟ ମୋର,
ତାଙ୍କରି ପ୍ରେରଣା ମୂର୍ତ୍ତି ଗଢିବାରେ
ଯୋଗାଇଲା ମନେ ବଳ।।
ବୃଦ୍ଧ ବୟସରେ ହେଲି ଉପନୀତ
ଛାଡି ନାହିଁ ମୂର୍ତ୍ତି ଗଢ଼ା,
ଆମରି ସଭ୍ୟତା ସଂସ୍କୃତିକୁ ନେଇ
ବଞ୍ଚିଛି ଜୀବନ ସାରା।।
ଆଜି ମୁଁ ଗଢୁଛି ଗଣେଶ ପ୍ରତିମା
ବିଘ୍ନ ନାଶକ ଠାକୁର,
ପାର୍ଵତୀ ନନ୍ଦନ ପ୍ରଭୁ ଗଜାନନ
କାର୍ତ୍ତିକଙ୍କର ସୋଦର।।
ପୁରାଣ କଥାକୁ ସ୍ମୃତିର ପଟରେ
ଧରି ଗଢ଼ଇ ମୂରତି,
ଭିନ୍ନ ଭିନ୍ନ ମୂର୍ତ୍ତି ଗଢ଼ି ଗଢି ମୁହିଁ
ପାଳେ ସନ୍ତାନ ସନ୍ତତି ।।
କଳାକୁ ବେଉସା କରିଣ ସଂସାରେ
ବିତୁଛି ମୋହର ଦିନ,
ଯେତେଦିନ ଥିବି ଗଢୁଥିବି ମୂର୍ତ୍ତି
ଦେଇ ମୋର ମନ ପ୍ରାଣ ।।