ମୁଁ ବି ଚିତ୍ରକର
ମୁଁ ବି ଚିତ୍ରକର
ନିଜେ ଆଙ୍କୁଛି ମୁଁ ନିଜର ଛବି ,
ଜୀବନର ପୃଷ୍ଠାକୁ କେନଭାସ୍ ନେଇ ,
ସମୟର ତୂଳୀରେ ,
ଅନୁଭବର ରଙ୍ଗରେ ....
ମୁଁ ଆଙ୍କୁଛି ନିଜକୁ ......।
କାହିଁକି ନା ମୁଁ ଚାହେଁ ନା ,
ମୋତେ ଆଉ କେହି ଆଙ୍କୁ
ତା ତୂଳୀରେ
କି ତା ରଙ୍ଗରେ ...
ମୁଁ ଚାହେଁନି କେହି ଲଦି ଦଉ
ତାର ଭାବନା
ମୋ ଚିତ୍ରପଟ ଉପରେ ....।
ନା ମୋର ଡର ଅଛି
ଅପବାଦକୁ
ନା ଡର ଅଛି କିଛି ନିନ୍ଦାକୁ ...
କିନ୍ତୁ ମୁଁ ବି ଘୃଣା କରେ
ମିଛ ଅପମାନକୁ .....।
ବୋଧେ ....
ସେଇପାଇଁ ମୁଁ ଚାହେଁ ନି
ମୋତେ କେହି ଆଙ୍କୁ ....
ସେ ଧାର ମାଗି ଆଣିଥିବା କିଛି ରଙ୍ଗରେ .....।
ମୁଁ ନିଜକୁ ରଙ୍ଗେଇବି ...
ବାରମ୍ବାର ଗଢିବି
ପୁଣି ଭାଙ୍ଗିବି ,
ଇଚ୍ଛା ହେଲେ ସବୁ ପୋଛି
ପୁଣି କିଛି ମୋର ନୂଆ ବନେଇବି ...
କିନ୍ତୁ ମୁଁ କେବେ ବି ଦେଇନି
ଅଧିକାର ଆଉ କେଉଁ ତୂଳୀକୁ
ମୋତେ ଆଙ୍କିବାକୁ ......।
ମୁଁ ଏମିତି ରଙ୍ଗ ଭରି ଚାଲିବି ମୋ ଜୀବନେ ,
ଲୋଡା ହେଲେ ରଙ୍ଗହୀନ ବି କରିଦେବି ନିଜକୁ ,
କିନ୍ତୁ ମୋତେ କେବଳ ମୁଁ ହିଁ ଆଙ୍କିଥିଲି ଆଉ ଆଙ୍କୁଥିବି .....