ମୁଁ ଅପରାଜିତା..
ମୁଁ ଅପରାଜିତା..
ଆଜି ଅସରାଏ ବର୍ଷା ରେ
ମୁଁ ଭିଜି ଗଲି ଯେବେ
କ୍ଷଣିକ ପାଇଁ ଭୁଲିଗଲି ସବୁକିଛି
ମନ ହେଉଥିଲା ଵର୍ଷା ପାଣିରେ
ଜୀବନ ପୃସ୍ତକକୁ ଚିରି ଦେଇ
କାଗଜ ଡଙ୍ଗାଟିଏ କରି ଭସାଇ ଦିଅନ୍ତି ।।
ଆକାଶ ବି ବେଇମାନ
କଳା ବାଦଲରେ ଜହ୍ନ ତାରା କୁ ଲୁଚେଇ
ବିଜୁଳି ଦେଖେଇ
ମୋତେ ଖତେଇ ହେଉଥିଲା
ବାଦଲ ତାର ନହକା ନହକା ପାଦରେ
ଗୋଟା ଆକାଶରେ ସାଇଁ ସାଇଁ
ଚକ୍କର ମାରୁଥିଲା
ମୁଁ ଭାବୁଥିଲି ଦିନ ଯାକର ତମାମ ଜଞ୍ଜାଳ
ଏଇ ଅନ୍ଧାରରେ ହଜେଇ ଦିଅନ୍ତି ।।
ଅନୁଭବ କରୁଥିଲି
ସେ ଵର୍ଷା ଟୋପା ର ଦଂଶନ କୁ&nb
sp;
ଭେଦି ଯାଉଥିଲା ତାଳୁରୁ ତଳିପା ଯାଏଁ
ସର୍ବାଙ୍ଗ ଶରୀର ଶୀତଳ ତା ସ୍ପର୍ଶରେ
ମୁଁ ଦେଖୁଥିଲି ତାର ପ୍ରଖରତା
ମୋ ପାଖରେ ତ ଛତା ନଥିଲା
ମନ ହେଉଥିଲା
ପଣତ କାନିରେ ଓଢ଼ଣା ଦେଇ
ବର୍ଷାର ବେଗକୁ ଓଗାଳି ଦିଅନ୍ତି ।।
ପରାଜିତ ହେଇନି ମୁଁ କେବେ
ଆଜି ଏଇ ବର୍ଷାର ବେଗରେ କ'ଣ
ମୋ ଦେହର ରଙ୍ଗ,
ହୃଦୟ କୋଣର ମାନ ଅଭିମାନ
ମୋ ମନର କିଛି ସମ୍ପର୍କର ପଂକ୍ତି
ଧୋଇଯିବ ଉଚ୍ଛୁଳା ନଈରେ
ଦେଖୁଥିଲି ମୋ ପାରିବା ପଣକୁ
ଭାବିନେଲି ଵହିଯିବା ଆଗରୁ
ମୋ ଭାବପ୍ରବଣତାର ସବୁ ସ୍ବପ୍ନ
ଗଣ୍ଠିଲି ରେ ବାନ୍ଧି ରଖିଥାନ୍ତି ।।