ମୁହଁ ଖୋଲି ସଖି କୁହ
ମୁହଁ ଖୋଲି ସଖି କୁହ


ଯମୁନାକୁ ଆସ ସ୍ନାନ କରିଯିବା
ତଇଳ ହଳଦୀ ଘେନି ,
ଏକୁଟିଆ ମୋତେ ବାଟ ଘାଟ ମନା
କୃଷ୍ଣ ଟାଣିବେ ମୋ କାନି ।
ସଖାମେଳେ ଥିବେ କଦମ୍ବ ଡାଳରେ
ବାଉଥିବେ ତାଙ୍କ ବଂଶୀ ,
ବାରବାର ମୋତେ ଇଶାରା କରିକି
ପାଶରେ ମିଳିବେ ଆସି ।
ମନା ମୋର କିଛି ମାନିବେ ନାହିଁ ସେ
ନେହୁରା ହେଲେ ମୁଁ ଯେତେ ,
ମନ ଭୁଲାଣିଆ କଥା କହି କହି
ଘେନିଯିବେ ତାଙ୍କ ସାଥେ ।
ବଂଶୀ ତାନେ ମନ ମଜ୍ଜାଇ ରଖିବେ
ଯେହ୍ନେ ସମ୍ମୋହନ କରି ,
ବିଷୟର ଜ୍ଞାନ ରହିବ ନାହିଁ ଗୋ
ସମୟଟି ଯିବ ସରି ।
ତାଙ୍କ ଲାଗି ନିତି ଗଞ୍ଜଣା ସହୁଛି
ପଥର କରିକି ଦେହ ,
ସେଥିପାଇଁ ଆଉ କି ଉପାୟ ଅଛି
ମୁହଁ ଖୋଲି ସଖି କୁହ ।