ମତ୍ସ୍ୟ ଅବତାର
ମତ୍ସ୍ୟ ଅବତାର
ବ୍ରହ୍ମା ବୋଲେ ଶିବ ପ୍ରଳୟ ରଚିଲେ
ପୃଥ୍ୱୀ ହେଲା ଟଳମଳ
ସୃଷ୍ଟି ରକ୍ଷା ପାଇଁ ଅବତାର ନେଲେ
ନିଜେ ପ୍ରଭୁ ଆଦିମୂଳ।
ଆଦ୍ୟ ଅବତାରେ ମତ୍ସ୍ୟ ରୂପ ଧରି
ବେଦ ଉଦ୍ଧାରିବା ପାଇଁ
ତର୍ପଣ ସମୟେ ଆଞ୍ଜୁଳି ମଧ୍ୟରେ
ମନ୍ୟୁ ରାଜା ହସ୍ତେ ଥାଇ।
ବୋଇଲେ ରାଜନ ରକ୍ଷା କର ମୋତେ
ବଡ଼ ମାଛ ଯିବେ ଖାଇ
କମଣ୍ଡଳୁ ମଧ୍ୟେ ରଖ ମୋତେ ତୁମେ
ବଞ୍ଚିବି ଆଶ୍ରମେ ଯାଇ।
ମନ୍ୟୁ ଶତରୁପା ଆଦରେ ରଖିଲେ
ଆଶ୍ରମରେ ଯତ୍ନେ ନେଇ
ବଢ଼ାଇଲ କାୟା କମଣ୍ଡଳୁ ହେଲା
ନିଅଣ୍ଟ ତୁମରି ପାଇଁ।
ତେଣୁ ଡ଼ାକ ଦେଲ ରଖ ହେ ରାଜନ
ଶ୍ୱାସ ରୁଦ୍ଧ ହୁଏ ମୋର
ଆଶ୍ଚର୍ଯ୍ୟ ହୋଇଲେ ମନ୍ୟୁ ଶତରୁପା
କାୟା ଦେଖି ପ୍ରଭୁ ତୋର।
ତହୁଁ କୂପ ମଧ୍ୟେ ଛାଡ଼ିଲେ ତୁମକୁ
ତହିଁ ବିସ୍ତାରିଲ କାୟା
ବିଚାରିଲେ ରାଜା ରାଣୀ ଦୁହେଁ ବସି
ଏତ ନାରାୟଣ ମାୟା।
ପୁଣି ଡ଼ାକ ଦେଲ ରଖ ହେ ରାଜନ
କୂପ ମଧ୍ୟେ ସ୍ଥାନ ନାହିଁ
ତହୁଁ ରାଜନ ଯେ ହୋଇଲେ ଚିନ୍ତିତ
କାହିଁ ରଖିବେଟି ନେଇ।
ମନେ ବିଚାରିଲେ ପୁଷ୍କରିଣୀ ନୀରେ
ଛାଡ଼ିଦେବେ ଧୀରେ ଧୀରେ
ମାୟାଧର ମାୟା କେହୁ ବା ଜାଣିବ
ବିସ୍ତାରିଲେ କାୟା ନୀରେ।
ସରୋବର ଜଳ ନିଅଣ୍ଟ ହୋଇଲା
କାୟା ଦିଶିଲା ଉଭାରି
ପୁଣି ଡ଼ାକ ଦେଲେ ରକ୍ଷା କର ରାଜା
ମତ୍ସ୍ୟ ରୂପୀ ନରହରି।
ତହୁଁ ରାଜନ ଯେ ସମୁଦ୍ର ମଧ୍ୟରେ
ଆସିଲେ ତୁମକୁ ଥୋଇ
ସିନ୍ଧୁ ପ୍ରଦେଶରେ ଅବସ୍ଥାନ କଲ
ବେଦ ଉଦ୍ଧାରଣ ପାଇଁ।
ଶଙ୍ଖାସୁର ବଧି ବେଦ ଉଦ୍ଧାରିଲ
ଆଦ୍ୟ ଅବତାର ଲଭି
ମହା ପ୍ରଳୟରୁ ମାନବ ସମାଜ
ନ ରଖିଲେ ଯିବ ଲିଭି।