ମର୍ଯ୍ୟାଦା ପୁରୁଷୋତ୍ତମ
ମର୍ଯ୍ୟାଦା ପୁରୁଷୋତ୍ତମ
ଶ୍ରୀରାମ ହେ ତୁମେ ମର୍ଯ୍ୟାଦାର ସେତୁ
ପୁରୁଷ ଉତ୍ତମ ବୀର
ଜୀବନ ଯାତ୍ରାରେ ତୁମ ଗାଥା ପ୍ରଭୁ
ଦେଇଥାଏ ସୁବିଚାର ।
ଚୈତ୍ର ମାସର ଶୁକ୍ଳ ନବମୀରେ
ସୂର୍ଯ୍ୟବଂଶେ ହେଲ ଜାତ
ଜଗତ ସ୍ଵାର୍ଥରେ ଜୀବନ ଅର୍ପିତ
ଆହେ ଦଶରଥ ସୂତ ।
ପିତୃସତ୍ୟ ପାଳି ସହାସ୍ୟ ବଦନେ
କରିଲ ବନ ଗମନ
ମର୍ଯ୍ୟାଦାବନ୍ତ ହେ ଭ୍ରାତୃ ପ୍ରେମେ ଭରା
ଦେଖାଅ ନୂଆ ଦିଗନ୍ତ ।
ପ୍ରଜାନୁରଞ୍ଜନେ ଥିଲ ତୁମେ ବ୍ରତୀ
ରୀତି ନୀତିରେ ପ୍ରବୀଣ
ସେବାରେ ଆଭାରେ ଜ୍ଞାନ ଗାରିମାରେ
ତୁମେ ଯେ ଥିଲ ଅଭିନ୍ନ ।
ମର୍ଯ୍ୟାଦାବନ୍ତ ହେ ମର୍ଯ୍ୟାଦା ଦେଇଛ
ମାଟି ପାଣି ପବନକୁ
ମର୍ଯ୍ୟାଦା ଦେଇଛ ଦୀନ ଶବରୀକୁ
ମର୍ଯ୍ୟାଦା ଯେ କୈବର୍ତ୍ତକୁ ।
ମର୍ଯ୍ୟାଦା ଦେଇଛ ତପଚାରୀଙ୍କୁ ଯେ
ମାରିଛ କେତେ ଅସୁର
ମର୍ଯ୍ୟାଦା ଦେଇଛ ପଶୁ ଓ ପକ୍ଷୀଙ୍କୁ
ହନୁ ,ଜଟାୟୁ ଯେ ସାର ।
ମର୍ଯ୍ୟାଦା ଦେଇଛ ଗୁଣ୍ଡୁଚିମୂଷାକୁ
ପିଠିରେ ଯେ ତିନି ଗାର
ନ୍ୟାୟ ପକ୍ଷ ନେଇ ଉଡାଇଛ ଧ୍ଵଜା
ତୁମେ ପୁରୁଷ ଉତ୍ତମ ।
ପୁରୁଷ ଉତ୍ତମ ହେ ମହାନାୟକ
ସର୍ବଗୁଣେ ବିମଣ୍ଡିତ
ଏକ ପତ୍ନୀ ବ୍ରତ ପାଳନ କରିଛ
ଆହେ ଜାନକୀଙ୍କ ଈଷ ।
ଶାନ୍ତ କାନ୍ତ ରୂପ କେଡ଼େ ମନଲୋଭା
ହାତରେ ଧନୁଷ ଶୋଭା
ଧନୁର୍ଦ୍ଧର ପଣେ କିଏ ବା ଜିତିବ
ତୁମେ ବୀର ମହାଯୋଦ୍ଧା ।
ଭରତଙ୍କୁ ତୁମେ ଦେଇ ଅଛ ଜ୍ଞାନ
କର୍ମ କର୍ତ୍ତବ୍ୟର ହେତୁ
ଅନାବିଳ ଭ୍ରାତୃ ପ୍ରେମେ ଯେ ପ୍ରଗଳ୍ଭ
ତୁମରି ହୃଦୟ ସିନ୍ଧୁ ।
ମର୍ଯ୍ୟାଦା ବନ୍ତ ହେ ପୁରୁଷ ଉତ୍ତମ
ଧରାକୁ ଓହ୍ଲାଇ ଆସ
ଧର୍ମର ଧାରାକୁ ଏଇ ଧରା ବକ୍ଷେ
ପ୍ଳାବିତ ଯେ କରି ଦିଅ ।
ହେ ପୁରୁଷୋତ୍ତମ ମର୍ଯ୍ୟାଦା ପ୍ରବୀଣ
ମର୍ଯ୍ୟାଦା ଶିଖାଇ ଦିଅ
ଲକ୍ଷ୍ମଣରେଖାର ମହତ୍ତ୍ୱର କଥା
କାନେ କାନେ କହିଯାଅ ।
ପିତୃ ଭ୍ରାତୃ ପ୍ରେମ ପ୍ରଜାନୁରଞ୍ଜନ
ଶିକ୍ଷା ଆଉ ଥରେ ଦିଅ
ତ୍ୟାଗର ଗାଥାକୁ ଏଇ ଧରା ପୃଷ୍ଠେ
ଆଉ ଥରେ ଦୋହରାଅ ।
ସୀମା ଉଲଙ୍ଘନ ବିପଦ ଡାକଇ
ଏ କଥା ମନେ ପକାଅ
ମର୍ଯ୍ୟାଦାବନ୍ତ ହେ ଆହେ ବୀର ଶ୍ରେଷ୍ଠ
ବିଶ୍ୱକୁ ଦିଶା ଦେଖାଅ ।