ମୃଗତୃଷ୍ଣା
ମୃଗତୃଷ୍ଣା
1 min
204
ତୃଷିତ ପାନ୍ଥ ମୁଁ
ଜଳ ଆଶା ରଖି
ତୁମ ନିକଟକୁ ଯାଏ।
ଥରୁଟିଏ ଖାଲି
କହିଦିଅ ଖୋଲି
ତୁମେ ମୃଗତୃଷ୍ଣା ନୁହେଁ।
ମୃଗତୃଷ୍ଣା କିବା
ତୁମେ ଅଟ ଜଳ
ସେକଥା ମୁଁ ଜାଣି ନାହିଁ।
ଜଳ ଭାବି ମୁହିଁ
ଭରସା କରିଛି
ତୃଷା ମେଣ୍ଟାଇବା ପାଇଁ।
ଶାନ୍ତ ଆଉ ସୌମ୍ୟ
ତୁମ ରୂପ କାନ୍ତି
ଦୂରୁ ଦିଶେ କମନୀୟ !
ସନ୍ତାପିତ ପ୍ରାଣେ
ଚନ୍ଦନ ଲେପଇ
ମନକୁ କରଇ ଥୟ।
ସକାଳ ସୂରୁଜ
ପରାୟେ ମୋ ମନେ
ଜଗାଅ ନୂତନ ଆଶା।
ଅବଶ ପାଦେ ମୋ
ଭରିଦିଅ ବଳ
ପିଆଇ ବଞ୍ଚିବା ନିଶା।
ତୁମକୁ ତୃଷ୍ଣାର
ଜଳ ମନେକରି
ଆଶାରେ ମୁଁ ଚାଲୁଅଛି।
ଆଶାରେ ଚାଲିବା
ନାମ ତ ଜୀବନ
ନିରାଶ କେବେ ନୋହିଛି।
ହେବିନି ନିରାଶ
ଚାଲୁଥିବି ପଥ
ଯେତେ ଦୂରେ ତୁମେ ଥାଅ।
ମୃଗତୃଷ୍ଣା ନୁହେଁ
ଜଳ ତୁମେ ବୋଲି
ଥରେ ଖାଲି କହିଦିଅ।