ମପାଚୁପା ଜୀବନ
ମପାଚୁପା ଜୀବନ
ଆଲମାରୀ ଭିତରୁ ସ୍ଵପ୍ନ ସବୁ
ଆପେ ହ୍ୟାଙ୍ଗର ରୁ ଖସି ସତ୍ତା ହରେଇ ପଡ଼ିଥିଲେ
କିଛି ସ୍ଵପ୍ନ ପୁରା ହେଇ ଦମ୍ଭରେ ଫୋଟୋ ଫ୍ରେମ୍ ଭିତରେ
ଆଖି ତରାଟି ରଙ୍ଗୀନ କାନ୍ଥରେ ଆଉଜି ଥିଲେ.....
ମୁଁ ଚୁପଚାପ୍ ଏମାନଙ୍କ ହାବ ଭାବ ଦେଖି
ନିଲାଭ ଗଗନ ର ପରିସୀମା ଜାଣିବାକୁ
ଜ୍ୟାମିତିକ ସୁତ୍ର ଖୋଜୁ ଥିଲି
ଅତୀତ ଅଳିଆ ଗଣ୍ଠିଲି ରେ ବାନ୍ଧି କବାଟ କଣରେ
ମୁହଁ ମାଡି ନିଜ କୃତକର୍ମ ପାଇଁ ଅନୁତପ୍ତ ହେବାକୁ
ତାଗିଦ କରିଥିଲି ........
ବର୍ତମାନ ଲୁଚକାଳି ଖେଳ ଖେଳୁଥିଲା,
ଛିଗୁଲେଇ ହେଇ ଉପହାସ କରୁଥିଲା
କେତେ ଦୌଡିବି ତା' ପାଖେ
ଯୌବନ ର ଉତ୍ସୃଙ୍ଖଳ ଅଟହାସ୍ୟ ରେ ଚତୁର୍ଦ୍ଦିଗ ଏକାକାର
କରୁଥିଲା ବର୍ତ୍ତମାନ,କେତେ ଅହଙ୍କାର ?
ନା ଆଉ ସାହସ ନାହିଁ ମାେ ପାରିବା ପଣିଆ ପାଖେ
ଭବିଷ୍ୟତ ହାତରେ କ୍ରୀଡ଼ନକ ସାଜିବାର
ସମ୍ପୂର୍ଣ ଅାକାଶ କୁ ତାରା ଫୁଲରେ ସଜେଇ
ମୁଁ ସ୍ଵପ୍ନ ସହ ବନ୍ଧୁତା କରେଇ ଥିଲି
ଅଖ ଚକ କାହୁଁ ଆପେ ଆପେ ଘୁରିବେ
ସମୟ ନୟାନ୍ତ କରି ଦେଲାଣି ..........
କପଡ଼ାରୁ ସ୍ୱେଦ ବାରି କେବେଠୁ ଶୁଖି ଗଲାଣି
ଆଉ ମନେ ପଡୁ ନାହିଁ ସେ ସ୍ଵେଦର ମହକ
ଯାହା ପାଇଁ ମୁଁ ସ୍ଵର୍ଗ ସୁଖ ବି ତୁଚ୍ଛ କରିଥିଲି
ସବୁ କିଛି ନିଜ ଇଲାକାରେ ହିଁ ସୁରକ୍ଷିତ
ମନା କରି ନଥିଲି କେବେ ଦଣ୍ଡ ନିଆଁ ରେ ଚାଲିବିନି ବୋଲି
ତୁମେ ପବିତ୍ରତା ଆଳରେ
ମାେ ସତୀତ୍ଵ ର ବାର୍ଷିକ ପରୀକ୍ଷା ପାଇଁ ଅପେକ୍ଷା ରତ ଥିଲ
ଏବେ ତ ଅାକାଶ ରେ ନିଆଁ ଲାଗିଛି
ତୁମେ ବି ଜଳୁଛ ଆଉ ମୁଁ ବି
ଏବେ ବି କଣ ମୋତେ
ମାେ ପ୍ରେମ ଆଉ ବିଶ୍ୱାସ କୁ ପ୍ରମାଣ କରିବାକୁ ପଡ଼ିବ ?