ମୋହ ଭଙ୍ଗ
ମୋହ ଭଙ୍ଗ
ଶୁଣିଥିଲି କାଳେ ତୁମ ଅପରୂପା ସମ୍ମୋହନୀ
ତନୁତୀର୍ଥର ସନ୍ଦର୍ଶନ ଓ ସାହଚର୍ଯ୍ଯରେ
ମିଳେ ପରମାର୍ଥ ପରିତ୍ରାଣ ନିର୍ବାଣ
ତୃପ୍ତ ହୁଏ ଦାବାନଳେ ଦଗ୍ଧ ଦେହଳୀ
ପୁଲକରେ ଭରିଯାଏ ମନ ପ୍ରାଣ।
ମୁଁ ବି ତ ସାଜିଥିଲି ପତିତ ପ୍ରଲୁବ୍ଧ ବଣିକ
ତୁମ ଚଉରାଶୀ ଅଙ୍ଗୁଳି ବିଶିଷ୍ଟ ତନୁତୀର୍ଥର
ତୀର୍ଥାଟନରେ ଲଭିବାକୁ ଚିର ଇପ୍ସିତ ମହାନିର୍ବାଣ
ହେଲେ ଏ କଣ? ଦିନୁଁ ଦିନ ସରି ସରି ଆସୁଛି ଆୟୁଷ
ନିର୍ବାଣର ମାର୍ଗ ହୋଇଯାଉଛି ସଙ୍କୁଚିତ।
ତୁମ ତନୁ ତୀର୍ଥର ପାବନ ପୁଷ୍କରିଣୀରେ
ବାରମ୍ବାର ବୁଡ଼ ପକାଇବାର ଉପରାନ୍ତେ
ବିଦଗ୍ଧ ପ୍ରାଣ ମୋର ଲଭୁ ନାହିଁ ସଂତୃପ୍ତି
ବରଂ ଅନନ୍ତ କାମନାର ଅଥଳ ଜଳ ଭଉଁରୀରେ
ହୋଇଯାଉଛି ଆକ୍ତାମାକ୍ତା ବେଳକୁ ବେଳ।
ଦେହ ଅଛି ବୋଲି ତ ଅଛି ଏଇ ଦହନର ଜ୍ବାଳା
ରକ୍ତ ମାଂସ ହାଡ଼ ତିଆରି ଏଇ ଦେହର ଦେହଳୀ
ଅଶାନ୍ତି ବିଫଳ ମନୋରଥର ଜଳନ୍ତା ନିଆଁରେ
ହୁତୁ ହୁତୁ ଜଳୁଛି ଅନବରତ କୁହୁଳି କୁହୁଳି
ନିର୍ବାପିତ ହେବାର ନାହିଁ, କାହୁଁ ବା ମିଳୁଛି ନିର୍ବାଣ?
ଆଉ କେତେ ଦିନ ଅବା ଏଇ ମାୟାବୀ ମୋହ
କରି ରଖିଥିବ ଜାଗତିକ ବନ୍ଧନରେ ଆବଦ୍ଧ?
ଦିନେ ନା ଦିନେ ତ ହୋଇବ ମୋହ ଭଙ୍ଗ
ନିର୍ବାଣର ମାର୍ଗ ନିଶ୍ଚେ ହୋଇବ ପ୍ରଶସ୍ତ ଉନ୍ମୁକ୍ତ
ମୂଢ଼ ଅକିଞ୍ଚନ ମନରେ ତଥାପି ରହିଛି ଦୃଢ଼ ବିଶ୍ୱାସ।