ମୋ ପ୍ରିୟା
ମୋ ପ୍ରିୟା
ମୋ ପ୍ରିୟା ବଦନ ଦେଖି ଲାଜେ ଜହ୍ନ
ବାଦଲେ ମୁଖକୁ ଢାଙ୍କେ
ମୋ ମନ ତୂଳିରେ ମାନସ ପଟରେ
ପ୍ରିୟାର ଛବି ମୁଁ ଆଙ୍କେ l
ମୋ ପ୍ରିୟା ବଦନ ତାର ଅପଘନ
କିଏ ହେବ ତାର ସରି
କି ରମ୍ଭା ଉର୍ବଶୀ ମେନକା ଅପ୍ସରା
ଲାଜେ ଯିବେ ଅପସରି l
ଚମ୍ପାଫୁଲ ରଙ୍ଗ ଚାରୁ ଅପଘନ
ସରୁ କଟୀ କମନୀୟ
ସୁନେଲି ପାଟରେ ଝଟକୁ ଥାଏ ସେ
ତା ରୂପ ଅବର୍ଣ୍ଣନୀୟ l
ତା ଶାଢ଼ୀ ପଣତ ଆଜାନୁଲମ୍ବିତ
ଶୋଭେ ମୋତିହାର ଗଳେ
ଆବର୍ତ୍ତିତ ନାଭି ନିମ୍ନରୁ କୁଞ୍ଚିତ
କୁଞ୍ଚ ଝୁଲୁଥାଏ ତଳେ l
ପକ୍ଵ ବିମ୍ବଫଳ ରକ୍ତିମ ଅଧର
ଚାହାଣୀ ମୃଗନୟନା
ନାକରେ ବସଣି ଜୁଡ଼ାରେ ଗର୍ଭକ
ଚାଲି ତା ଗଜଗମନା l
ହସିଦେଲେ ପ୍ରିୟା ତା ରୂପ ଲାବଣ୍ୟେ
ସର୍ବେ ହୋଇଯିବେ ବଶ
ଲାଜେ ହସିଦେଲେ ପ୍ରିୟା ମୋର ଥରେ
ଭାବି ଦେଖ ହେବ କିସ l
ତା ରୂପ ବର୍ଣ୍ଣନେ ନାହିଁ ଉପମେୟ
ଉପମା ଦେବାକୁ ମୋର
ଲକ୍ଷେ ଶିବ ପୁଜି ପାଇଛି ପ୍ରିୟାକୁ
କୃପା କଲେ ମହେଶ୍ୱର l
