ମୋ ପ୍ରିୟା ଓ ବର୍ଷା
ମୋ ପ୍ରିୟା ଓ ବର୍ଷା
କିଛି ପ୍ରତିଶୃତି
କିଛି ପ୍ରତାରଣା
ତା ଖିଆଲୀ ଆଖିରେ ରଚେ
ଆଜି ବି ଶ୍ରାବଣ
ଆବର୍ତ୍ତକ ,ସଂବର୍ତ୍ତକ,ପୁଷ୍କର,ଦ୍ରୋଣ,
ନାଚେ କାଦମ୍ବିନୀ
ଝଲକେ ଇରମ୍ମଦ
ରଚ୍ କରେ ଛାତିର ସ୍ପନ୍ଦନ...।
କିଛି ସମ୍ମୋହନ
କିଛି ଆକର୍ଷଣ,ବିକର୍ଷଣ
ବୁତୁରି ଯାଏ ସ୍ବପ୍ନ,
ହୁତୁହୁତୁ ହୋଇ ତୀବ୍ର ହୁଏ ଅନ୍ତର ଦହନ
କେ ବୁଝୁଛି ସେ ନୀରବ ଗର୍ଜନ ?
କିଏ କହେ ଲଘୁଚାପ, ଅବପାତ
ବାଦଲ୍ ଫଟା ବର୍ଷା
କିନ୍ତୁ ତା ହୃଦୟ ଏକ ମଧୁ ପରାବାର
ସ୍ବପ୍ନରେ ତାର କୋଟି କୋଣାର୍କ
ଶାନ୍ତିସ୍ତୁପ, ତାଜମହଲ୍, ଲାଲ୍ କିଲ୍ଲା,
ଭାବର ଶ୍ରୀମନ୍ଦିର
ବାରମ୍ବାର ସ୍ବସ୍ତିର ଅଭିଷେକ ..
ବର୍ଷା ବର୍ଷେ ମନଇଚ୍ଛା
ଅରାଏ ଆକାଶକୁ ଅକ୍ତିଆର କରେ ମେଘ
ମୋ ପ୍ରିୟା ହସେ ଭିଜି ଭିଜି
ତାର ହୁଲୁକେ ନିଶ୍ବାସରେ ଅଜସ୍ର ବିଶ୍ବାସ,
ଢୋକେ ପ୍ରଶ୍ବାସରେ ବର୍ଷାର ତମାମ୍ ସାମର୍ଥ୍ୟ-
ନୁଖୁରାକୁ ହରିତ୍ କରିବାର....
ସେ ବି ପରଶେ ଆନନ୍ଦ
ସ୍ବଛନ୍ଦରେ ନ ହେଲେ ବି-
ହୋଇ ଛନ୍ଦମୟ
ମନ୍ଥନ କରେ ବାରବାର ନିଜକୁ
ବାଣ୍ଟେ ସର ,ଲବଣି, ଘୃତ, ଛେନା ସରାଗର
ଅସରା ଅସରା ବର୍ଷା ପରି ରହି ରହି
ତ କେବେ ଲଗାତାର,
ଅସହ୍ୟ ନିଦାଘର ଦୌରାତ୍ମ୍ୟରେ
ତ କେବେ ବସନ୍ତ ସ୍ବାଗତରେ,
କାହିଁକି ନା -
ବିନା ବର୍ଷାରେ ସୃଷ୍ଟିନାଶ ଅଚିରେ
ବଃ! କି ସଂଯୋଗ
" ମୋ ପ୍ରିୟା ଓ ବର୍ଷା" ମକର ସତରେ....।