ମୋ ମାଆ
ମୋ ମାଆ
ମହଣ ମହଣ ସ୍ନେହ ବାତ୍ସଲ୍ୟରେ
ହୃଦେ ଭରିଥିଲା ଜନନୀ ମୋର ,
କେଜାଣି କିପରି ଦିନ କଟିଗଲା
ଜଣା ପଡିଲାନି ସେଇ ଘରର ।
ଆଞ୍ଜୁଳା ଆଞ୍ଜୁଳା ଝରି ପଡୁଥିଲା
ସ୍ନେହ ମନ୍ଦାକିନୀ ଶ୍ରଦ୍ଧା ତାହାର ,
ସନ୍ତାନର ସୁଖ, ଦୁଃଖରେ ସୀମିତ
ରହିଥିଲା ତା'ର ଛୋଟ ସଂସାର ।
ଅଳି , ଅରଦଳୀ ମାଆ ପାଖେ ଥିଲା
ବାପାଙ୍କୁ ତ' ଡର ଥିଲା ଆମର ,
ମାଆର ପଣତ ଆମ ପାଇଁ ଥିଲା
ଶ୍ରଦ୍ଧା ସୁମନର ଅମୃତ ଝର ।
ମୋ' ମାଆ ମୋ ପାଇଁ ସବୁକିଛି ଥିଲା
ତା'ର କୋଳ ସ୍ୱର୍ଗ ସୁଖ ଅପାର ,
ଦୁଃଖ ଟିକେ ଦେଖି ଦେଲେ ଆଖି ତଳେ
ତା' ଚକ୍ଷୁରୁ ଝରେ ଲୋତକ ଧାର ।
ତା'ର ସ୍ନେହାବୋଳା ମଧୁର କଥାରେ
ମଲମ ଲାଗଇ ହୃଦ ଭିତର ,
କାହିଁ କେତେ ଦୂରେ ଚାଲିଯାଇଛି ସେ'
ଅଫେରା ରାଇଜେ କରିଛି ଘର ।
ନିତି ଲୁହ ଭିଜା ନୟନ ଖୋଜଇ
ସ୍ନେହ ରଙ୍କୁଣି ମୁଁ' ମାଆ କୁ ମୋର ,
ଜାଣିଛି ଯଦିଓ କେବେ ଫେରିବନି
ଶୁଣିବନି "ମାଆ" ଡାକ କାହାର ।
ତଥାପି କାହିଁକି ଏ' ଅବୁଝା ମନ
ନିତି ଖୋଜୁଅଛି ଅସ୍ତିତ୍ବ ତା'ର ,
ମୋ' ରକ୍ଷା କବଚ ମୋର ମାତା ଥିଲା
ହରାଇ ଦେଇଛି ମାତାକୁ ମୋର ।
ହୃଦୟ ଭିତରେ ଅଲିଭା ଅକ୍ଷରେ
ଲେଖାଅଛି ସେହି ବେଦନା ସ୍ୱର,
ସଂସ୍କାର ସମ୍ପର୍ଣ୍ଣା ଶକୁନ୍ତଳା ନାମ୍ନୀ
ପୁଣ୍ୟମୟୀ ମାତା ଥିଲା ମୋହର ।