ମୋ ଗୁରୁ
ମୋ ଗୁରୁ
ଗୁରୁ ରୂପେ ମୁଁ ଯେ
ତୁମକୁ ପାଇ।
ଜୀବନ ଯାଇଛି
ମୋ ଧନ୍ଯ ହୋଇ।।
କେବେ ତୁମେ ସାଜ
ଭୋଳା ମହେଶ।
କେବେ ପୁଣି ତୁମେ
ବିଷ୍ଣୁଙ୍କ ଅଂଶ।।
କେବେ ତୁମେ ଦିଅ
ବାଟ ଦେଖାଇ।
ଜୀବନେ ସେବାଟେ
ଚାଲିବା ପାଇଁ।।
ଜୀବନ ରାସ୍ତାରେ
ଝୁଣ୍ଟି ପଡିଲେ
ପାଖରେ ତୁମକୁ
ସର୍ବଦା ପାଏ।।
ଗୁରୁ ନୁହେଁ ତୁମେ
ମୋ ଭାଗ୍ଯରେଖା।
କେବେ ପିତା ମାତା
କେବେ ମୋ ସଖା।।
ପିଠିରେ ବସାଇ
ବେତ ପାହାର।
ଭୋକିଲା ପେଟକୁ
ଦେଇ ଆହାର।।
ଦାନ ଦେଇଥିଲ
ବିଦ୍ଯା ତୁମର।
ତୁମ ପାଦ ତଳେ
କୋଟି ଜୁହାର।।
ସତ୍ଯକୁ ଭାବିଣ
ମୁଁ ମରିଚିକା।
ଜୀବନ ମୋଡରେ
ଖାଏ ଯେ ଧୋକା।।
ଜୀବନ ବାଜି ମୁଁ
ହାରିବା ବେଳେ।
ସର୍ବଦା ତୁମର
ଆଶିଷ ମିଳେ।।
ସମସ୍ଯା କୁହୁଡି
ଘେରରେ ଫସି
ଜୀବନ ଜଞ୍ଜାଳେ
ପାଇଲେ ଫାଶୀ।
ରକ୍ଷା କରିବାକୁ
ଜୀବନ ମୋର।
ଗୁରୁ ତୁମେ ସଦା
ଥାଅ ତତ୍ପର।।
ଆଖିରେ ମୋହର
ଲୋତକ ଧାର।
ଦେଖି ତୁମେ ସାଜ
ସୁଖ ସାଗର।।
ଅଜ୍ଞାନ ଅନ୍ଧାରେ
ହୋଇ ମୁଁ ଘାଣ୍ଟି।
ଥକି ଯାଏ ଯେବେ
ଦୁଃଖ ସାଉଁଟି।।
କୋଳରେ ତୁମର
ମିଳଇ ଶାନ୍ତି।
ଅବଶୋଷ ଯେତେ
ଯାଏ ମୋ ମେଣ୍ଟି।।
ନିଜର ଦୁଃଖକୁ
ହୃଦୟେ ଖୋସି।
ଶିକ୍ଷା ଦେଉଥିଲ
ତୁମେ ଯେ ହସି।।
କଳଙ୍କିତ ଜେହ୍ନେ
ସରଗ ଶଶି।
ସେମିତି ନିନ୍ଦୁକ
ନିନ୍ଦନ୍ତି ବସି।।
ଶିକ୍ଷା ଦେଇ ହୁଅ
କଳଙ୍କ ବୋଳା।
ତଥାବି କର୍ତ୍ତବ୍ଯେ
କରନି ହେଳା।।
ତୁମର ବର୍ଣ୍ଣନା
କରିବା ପାଇଁ।
ଭାଷାକୋଶରେ ମୋ
ଶବଦ ନାହିଁ।।
ଅସରନ୍ତି ଗୁରୁ
ତୁମ ମହିମା।
ଭୁଲ୍ ଥିଲେ ମତେ
କରିବେ କ୍ଷମା।।
ଅବୋଧ, ନିର୍ବୋଧ
ଅଜ୍ଞାନ ମୁଁହିଁ।
ଅପରାଧ ନିଶ୍ଚେ
ଥିବଯେ ହୋଇ।।
କାହିଁକି କରିବି
ସେ ମିଛ ପଣ?
ସୁଝିକି ପାରିବି
ମୁଁ ତୁମ ଋଣ?
ନର ଦେହେ ତୁମେ
ମୋ ନାରାୟଣ।
ପାଦତଳେ ମତେ
ଦିଅ ସରଣ।।