ମୋ ବୋଉର ପଣତକାନି
ମୋ ବୋଉର ପଣତକାନି
ଗ୍ରୀଷ୍ମ
ଆମ ଗାଆଁରେ ତ ବିଜୁଳି ନାହିଁ
ବସନ୍ତ ବି ଯାଇଛି କେବେଠୁ
ଏବେ ଖାଲି ନିଦାଘର ରାଜ୍
ଗୁଳୁମୁଳି ସାଙ୍ଗକୁ ଅସହ୍ୟ ଗରମ
ତଥାପି ମୁଁ ପଡିଛି ଶୋଇ
ମୁଁ ଅନୁଭବ କଲି ମୃଦୁମଳୟର
ଶୀତଳ ସିଗ୍ଧ କୋମଳ ପବନ
ଦେହସାରା ଯାଇଛି ଛାଇ
ସ୍ବପ୍ନ କି ବାସ୍ତବ ଏ ଆଶ୍ଚର୍ଯ୍ୟ ହେଲି ମୁହିଁ
ଆଖି ଖୋଲିଦେଇ ଦେଖିଲା ବେଳକୁ
ଏପଟ ସେପଟ ମୋ ବୋଉର ପଣତକାନି
ଶୀତ
ଏ ବର୍ଷ ପ୍ରବଳ ଜାଡ
ଶୀତ ସମ୍ଭାଳେ କମଳ ରେଜେଇ
ଶୀତର ସେ କାଲୁଆ ଆଖି
ହାରିଯାଏ ମୋ ବୋଉକୁ ଦେଖି
ପାହାନ୍ତିରୁ ରାତିଯାଏ ବୋଉ ମୋର
ଦୌଡୁଥାଏ ବିନା ସାଲ୍ ସ୍ବେଟରରେ
ଦେହରେ ତା ଖାଲି ଲୁଗାଟିଏ
ରହିଥାଏ ଲାଖି,
ମୋତେ ବି ଡରିଯାଏ ଶୀତ
ମୁଁ ଥିଲେ ବୋଉର କୋଳରେ
ବୋଉ ମୋତେ ଧରିଥାଏ
ତା' କାନିପଣତରେ ଜାକି।
ବର୍ଷା
ଆସିଲା ବରଷାରାଣୀ
ଘଡଘଡି ବିଜୁଳି ସାଥିରେ
ଝିପିଝିପି ବରଷା ଆଉ
ତୁହାକୁ ତୁହା ଥଣ୍ଡାପବନ
ଘରୁ ଆଜି ବାହାରି ହେଉନି
ହେଲେ ମୋ ବୋଉ ଅଟକି ଯାଇନି
ବର୍ଷାରେ ଭିଜିଭିଜି ପୋଖରୀରେ ଗାଧୋଇ
ସବୁକାମ କରିଯାଏ ନିର୍ବିକାରରେ
ସତେକି ସେ ଏକ
ଚାବିଦିଆା କଣ୍ଡେଇ
ଖରା,ବର୍ଷା,ଶୀତ ତାକୁ କେବେ ବି ଛୁଏଁନା
ମୁଁ ଚାହେଁ ଆଶ୍ଚର୍ଯ୍ୟରେ ବୋଉର ମୁହଁକୁ
ବୋଉ ମୋର ହସିଦିଏ
ପଣତରେ ପୋଛିଦେଇ
ମୋ ଲେଞ୍ଜରା ଲାଗିଥିବା ଆଖି।
ଦିନେ ମୁଁ ଦେଖିଲି
କାନ୍ଥକୁ ଆଉଜି
ମୋ ବୋଉ ଅଟକି ରହିଛି
ହାତପାଦ ଆଖି ସବୁ ତା'ର
କାହାର ସ୍ପର୍ଶରେ ବନ୍ଦ ହୋଇଯାଇଛି
କାନିପଣତକୁ ଧରି
ବୋଉ ବୋଉ ବୋଲି
ଜୋରରେ କେତେ ଡାକିଲି
ମୋ ବୋଉ ତ କେବେ ଅଟକି ଯାଏନି
ବୋଧହୁଏ ସମୟ ଅଟକି ଯାଇଛି।