ମୋ ବାପା
ମୋ ବାପା
ନାନା ଆକଟ ତୁଣ୍ଡରେ କ୍ରୋଧ
ଜଗି ବସନ୍ତି ବାଟ
ନୀତି ନିୟମ ଭଙ୍ଗ କରିଲେ
ମାରନ୍ତି କେତେ ଛାଟ ।
ସଙ୍ଗାତ ସାଜି ରୁହନ୍ତି ପାଖେ
ଖେଳାନ୍ତି କେତେ ଖେଳ
ଗୁରୁ ସାଜି ବି ପଢାନ୍ତି ପାଠ
ନକରି କିଛି ଆଳ ।
ପାଖେ ବସାଇ ଶୁଣାନ୍ତି ନାନା
ହୃଦୟ ଛୁଆଁ ଗଦ୍ୟ
ସାଙ୍ଗରେ ଧରି ମେଳା ବୁଲାନ୍ତି,
ଦିଅନ୍ତି କେତେ ଖାଦ୍ୟ ।
ଦେହରେ ତାଙ୍କ ପୁରୁଣା ଲୁଗା
ରଙ୍ଗହିନ ଜୀବନ
ସନ୍ତାନ ପାଇଁ ଆଣନ୍ତି କିଣି
ରକ-ମାରି ଭୂଷଣ ।
ନୀତି ତାଙ୍କର ସଂସ୍କାର ଭରା
ସ୍ପର୍ଶ କରିନି ମାୟା
ରାଗ ଭିତରେ ଆଦର ଥାଏ
ମନ ଭିତରେ ଦୟା ।
ବଡ଼ ହେବାର ସପନ ଆଗେ
ଦେଇ ନାହାନ୍ତି ଠକି
ଚାରି ପ୍ରହର କରନ୍ତି କାମ
ନଯାଇ କେବେ ଥକି ।
ସମାଜ ଆଗେ ଜୁଡନ୍ତି ହାତ
ପିଲାଙ୍କ ତ୍ରୁଟି ପାଇଁ
ଦୁନିଆଁ ସାଥେ ଲଢନ୍ତି କେବେ
ଆଗରେ ଠିଆ ହୋଇ ।
ଆଖିର ଲୁହ ଆଖିରେ ପିଇ
ରୁହନ୍ତି ସଦା ଖୁସି
ଅଭାବ ଭାର କାନ୍ଧରେ ଧରି
ଚାଲନ୍ତି ହସି ହସି ।