ମଣିଷ ତାହାରି ନାମ
ମଣିଷ ତାହାରି ନାମ
ଜହ୍ନ ଲୋ, ତୁ ପରା ଆକାଶ ସମ୍ପତ୍ତି
ସାଗର ହୃଦୟ
ପାରିବ କି ତୋତେ ଛୁଇଁ !
ବଉଦଟା ସିନା ଅଝଟ ମାନିନୀ
ନରମି, ସରମେ
ଚାଲିଯାଏ ଛୁଇଁ ଦେଇ ।
ତୋ'କଳଙ୍କ ନେଇ କେତେ ଯେ କାହାଣୀ
ଗୀତରେ ଗୀତରେ
ଜଗତଟା ଗାଇ ଯାଏ ।
ତୋ'ରି ଜୋଛନାରେ ସେଇ ଜଗତଟା
ତୁହାଇ ତୁହାଇ
ଖୁସିକୁ ସାଉଁଟି ଥାଏ ।
ସେଇ ଜୋଛନାରେ ଶାରଦୀୟ ଶୋଭା
ଲାଜେଇ ଲାଜେଇ
ଦ୍ଵିଗୁଣ ସୁନ୍ଦରୀ ସାଜେ ।
ରୂପା ରାଇଜର ଋତୁ ରୂପମତୀ
ନୀରବେ ନୀରବେ
ଫୁଲ ବରଷାରେ ଭିଜେ ।
ସାଗରଟା ସିନା ଛୁଇଁ ପାରେନାହିଁ
ହୃଦ ଆଇନାରେ
ତୋ' ଛବି ସାଇତି ଥାଏ ।
ଜହ୍ନ ଲୋ,ଯଦିବା ନୋହୁଁ ତା'ନିଜର
ତଥାପି ସାଗର
ଜୀବନରୁ ଭଲ ପାଏ ।
ସାଗର ଆଖିରେ ତୋ'କଳଙ୍କ ନୁହେଁ
କଳଙ୍କ ପସରା,
ବିଧାତାର ବରଦାନ ।
ସେଥିପାଇଁ ସିନା ଚଦ୍ରମା ବୋଲାଉ
ଚନ୍ଦ୍ରିକା ଚନ୍ଦ୍ରିକା
ଲାଗେ ଶାରଦୀୟ ମନ ।
ସତେ ଲୋ ଚାନ୍ଦିନୀ ତୋ'ଗୁଣରେ ଗୁଣୀ
ଶ୍ରଦ୍ଧାରେ ଶ୍ରଦ୍ଧାରେ
ହୁଅନ୍ତା କି ଏ ଦୁନିଆଁ ।
ସାର୍ବଜନୀନ ଏ ଅଷ୍ଟମୀ ତିଥିରେ
ସଭିଙ୍କ ମନରେ
ହୁଅନ୍ତା ସମ୍ପର୍କ ନୂଆ ।
ସଭେଁ ଆପଣାର ନୁହେଁ କେହି ପର
ବେଭାରେ ବେଭାରେ
ଅନେକରେ ଏକ ପ୍ରାଣ ।
କୋଟିଏ ନାମରେ ଗୋଟିଏ ସଂସାର
ଜାତି ବି ଗୋଟିଏ
ମଣିଷ ତାହାରି ନାମ ।