ମଣିଷ ପାଇଁ ମନ୍ଦିର
ମଣିଷ ପାଇଁ ମନ୍ଦିର
ପର ଲୋକ ସେଇ ପର ହୋଇ ରହେ
ନିଜର ହୁଏନି କେବେ
ନିଜର ଲୋକ ହିଁ ଜୀଇଁ ମାରି ଦିଏ
ପର ହୁଏ ସିଏ ଯେବେ ।
ପଦୁଅଁ ଫୁଲ କି ରାଜ ମହଲର !
ପଙ୍କରେ ସିନା ତା' ଘର
ତଥାପି ଜୀବନ ସୂରୁଜର ପାଇଁ
ରହୁ ପଛେ ସିଏ ଦୂର ।
ଦୂରରେ ଥାଇ ବି ନିଜର ମଣିଷ
ହୃଦେ ଥାଏ ନିରନ୍ତର
ନିଜ ପଣିଆରେ ତୋଳି ରଖିଥାଏ
ହୃଦୟେ ଘର ସୁନ୍ଦର ।
କାହାକୁ କଳ୍ପିବି ନିଜର କାହାକୁ
ଭାବିବି ମୋ' ସାତ ପର
ରକ୍ତ ଗୋଲାପ ବି ନିଜର ଲାଗଇ
କଣ୍ଟାରେ ଗଢ଼ା ଶରୀର ।
ଦୂର ପାହାଡ଼ ବି ଆଖିକୁ ଦିଶଇ
ସୁନ୍ଦର, ପ୍ରୀତି ମଧୁର
ବାସ୍ତବରେ ତାହା କର୍କଶ କଣ୍ଟକ
ନିଷ୍ଠୁର, ଘୋର ବର୍ବର ।
ଆଖି କି ସୁନ୍ଦର ବଚନ ମଧୁର
ନୁହେଁ ପ୍ରତୀକ ପ୍ରୀତିର
ପ୍ରୀତି ତ ପ୍ରତିମା ଚିରନ୍ତନ ସତ୍ୟ
ସଦ୍ୟ ଜୀବନ୍ତ ଉର୍ବର ।
ମଶାଣି ପରେ ବି ଅମର ଅଜର
ସତ୍ୟ ବନ୍ଧୁ, ତା' ବନ୍ଧୁତା
ପ୍ରୀତି ଫୁଲେ ଫୁଲେ ମଧୁ ମଲ୍ଲୀମାଳେ
ମହ ମହ ସୁଗନ୍ଧିତା ।
କାହିଁକି ତା'ହେଲେ ମିଛ ବନ୍ଧୁ ପାଇଁ
ସତ ମନ୍ଦିର ତୋଳିବା
ନ ହେଉ ପଛେ ସେ ରାଜ ସିଂହାସନ
ନିଜ ଭିତରେ ରହିବା ।
ମଣିଷ ବଜାରେ ମଣିଷକୁ ନେଇ
ମଣିଷ ପାଇଁ ମନ୍ଦିର
ସେଇ ମନ୍ଦିରରେ ନିଜକୁ ସଜାଇ
ରହିବା ଚିର ସୁନ୍ଦର ।